Home / ମୁଖ୍ୟ ଖବର / ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ୫୩ତମ ଅଧିବେଶନ ଓ ପ୍ରତିନିଧି ସମ୍ମିଳନୀ

ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ୫୩ତମ ଅଧିବେଶନ ଓ ପ୍ରତିନିଧି ସମ୍ମିଳନୀ

whatsapp image 2026 01 07 at 4.35.55 pm


ପୁରୀ –୭. ୧. ୨୬ ରାଜ୍ୟରେ ବିଦ୍ୟୁତ ସଂସ୍କାର ନାମରେ ଗତ ୨୮ବର୍ଷ ଧରି ଅରାଜକତା, ଶୋଷଣ ଓ ଲୁଣ୍ଠନର ମହୋତ୍ସବ ପରେ ଏବେ ରାଜ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ବିସ୍ତାରବାଦୀ ଟାଟା ପାୱାର ହାତରେ ଟେକି ଦେଇ ସରକାର ଶୋଷଣର ଲଙ୍ଗଳା ଚିତ୍ର ଦେଖି ଆତ୍ମବିଭୋର ହେଉଛନ୍ତି ବୋଲି ଟ୍ରେଡ଼ ୟୁନିଅନ ନେତାମାନେ ମତ ପୋଷଣ କରିଛନ୍ତି। ଆଜି ଅଠରନଳାସ୍ଥିତ ରୟାଲ ମଣ୍ଡପ ପରିସରରେ ପୁରୀ ବିଦ୍ୟୁତ କର୍ମଚାରୀ ସଂଘର ୫୩ତମ ବାର୍ଷିକ ଅଧିବେଶନ ଓ ପ୍ରତିନିଧି ସମ୍ମିଳନୀ ଅବସରରେ ଅନୁଷ୍ଠିତ “ଆମ ଶକ୍ତି ସେବା -ଶ୍ରମିକ କର୍ମଚାରୀ ଓ ଉପଭୋକ୍ତାଙ୍କ ଭବିଷ୍ୟତ “ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଥିଲା। ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତ ଟ୍ରେଡ଼ ୟୁନିଅନ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ତଥା ଜାତୀୟ ଅଡିଟ ମହାସଂଘ ର ପ୍ରାକ୍ତନ ରାଷ୍ଟ୍ରୀୟ ମହାସଚିବ ଗୌରାଙ୍ଗ ଚରଣ ପରିଡ଼ା ମୁଖ୍ୟ ବକ୍ତା, ରାଜ୍ୟ ଫେଡେରେସନର ସାଧାରଣ ସମ୍ପାଦକ ସତ୍ୟବାଦୀ ବାଘ, ଉପାଧ୍ୟକ୍ଷ ଭ୍ରମରବର ରାଉତ, ଶମ୍ଭୁ ପ୍ରସାଦ ମହାପାତ୍ର, ମଜଦୁର ସଂଘର ସଭାପତି କୃଷ୍ଣ ପଟ୍ଟନାୟକ, ଏ ଆଇ ଟି ୟୁ ସି ର ପୁରୀ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।
ଏହି ସମ୍ମିଳନୀରେ ସଂଘ ପକ୍ଷରୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ଓ ଉପଭୋକ୍ତାଙ୍କ ଅଧିକାର ସମ୍ବନ୍ଧିତ ୧୫ଦଫା ଦାବି ପ୍ରସ୍ତାବ ଗୃହୀତ ହୋଇ ଥିଲା। ୨୦୦୫ମସିହାରୁ ବନ୍ଦ ହୋଇଥିବା ପୁରୁଣା ପେନସନକୁ ଲାଗୁ କରାଯିବା, ମୃତ ଶ୍ରମିକ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାର ସମାନ ନୀତିରେ ଥଇଥାନ ପୂର୍ବକ ସ୍ଥାୟୀ ନିଯୁକ୍ତି, ଉଚିତ ୟାର୍ଡ଼ଷ୍ଟିକ ପ୍ରଚଳନ ଓ ତଦନୁଯାୟୀ ନିଯୁକ୍ତି ଏବଂ ପଦୋନ୍ନତି, ବିଦ୍ୟୁତ ଖୁଣ୍ଟଗୁଡ଼ିକରୁ ଅନିୟମିତ କେବୁଲ ସଂଯୋଗ ଅପସାରଣ, ପ୍ରତି ସେକ୍ସନରେ ଡ୍ୟୁଟି ଚାର୍ଟ ଲଗାଯିବ ଏବଂ କାର୍ଯ୍ୟର ସମୟ ନିର୍ଘଣ୍ଟ ସୁନିଶ୍ଚିତ କରିବା, ୧୧କେଭି ଫିଡ଼ର ଗୁଡିକରେ ଏ -ବି ସ୍ବିଚ ସ୍ଥାପନ ବ୍ୟବସ୍ଥା ସହିତ କ୍ଷେତ୍ରୀୟ ଶ୍ରମିକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ସାମଗ୍ରୀ ଓ ଉପଯୁକ୍ତମାନର ହାତ ହତିଆର ଯୋଗାଇ ଦେବା ଆଦି ୧୫ଦଫା ଦାବି ନେଇ ବିଭାଗୀୟ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ପୁରୀ ଡିଭିଜନ ସମ୍ପାଦକ ଜୟକୃଷ୍ଣ ମଲ୍ଲିକ ସ୍ୱାଗତ ଭାଷଣ ସହିତ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସଂଘର ସାଧାରଣ ସମ୍ପାଦକ ରାଜ କିଶୋର ପଟ୍ଟନାୟକ। ନିମାପଡା ଡିଭିଜନ ସମ୍ପାଦକ ରାଧାଶ୍ୟାମ ମିଶ୍ର ସମ୍ପାଦକଙ୍କ ବିବରଣୀ ଉପରେ ଆଲୋଚନା କରି ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାର ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଥିଲେ। ଅଧିବେଶନ ପ୍ରାରମ୍ଭରେ ସଂଘର ପ୍ରାକ୍ତନ ସଭାପତି କୈଳାସ ରାୟଙ୍କସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ପ୍ରଧାନ।
ପ୍ରତ୍ୟୁଷ ରେ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ମହାପୁରୁଷ ଭୁବନାନନ୍ଦ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ ସହିତ ସହିଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏହି ଅବସରରେ ୨୦୨୬ବର୍ଷ ପାଇଁ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ପରେ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ।
ସଂଘ କର୍ମକର୍ତ୍ତା ସୋମନାଥ ଦାସ, ଲିଙ୍ଗ ରାଜ ବେହେରା, ଯୋଗେନ୍ଦ୍ର ମହାପାତ୍ର,ଗଣେଶ ଚନ୍ଦ୍ର ବେହେରା, ଶୁଭ୍ର କେତନ ବରାଳ, ଅକ୍ଷୟ କୁମାର ମହାରଣା, ବି. ଜଗଦୀଶ ପଟ୍ଟନାୟକ, ବିଜୟ ପ୍ରସାଦ ସ୍ୱାଇଁ, କୃପାସିନ୍ଧୁ ଓଝା, ପାର୍ଥ ସାରଥୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ମିଳନୀ ରେ ପୁରୀ, ନିମାପଡା, ବ୍ରହ୍ମଗିରି, ପିପିଲି, କଣାସ, ଡେଲାଙ୍ଗ, ଗୋପ, କୋଣାର୍କ, କାକଟପୁର ଆଦି ଅଂଚଳରୁ ଶତାଧିକ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ପ୍ରତିନିଧି ଯୋଗ ଦେଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply