Home / ମୁଖ୍ୟ ଖବର / ନିମାପଡ଼ାରେ ପୁରୀ ଜିଲ୍ଲା ଖରିଫ ଧାନ କ୍ରୟ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ

ନିମାପଡ଼ାରେ ପୁରୀ ଜିଲ୍ଲା ଖରିଫ ଧାନ କ୍ରୟ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ

whatsapp image 2026 01 15 at 7.21.54 pm

ନିମାପଡା, ୧୫ ଜାନୁଆରୀ: ପୁରୀ ଜିଲ୍ଲାର ନିମାପଡ଼ା ସ୍ଥିତ ନିୟନ୍ତ୍ରିତ ବଜାର କମିଟି (ଧାନ ମଣ୍ଡି) ପରିସରରେ ଆଜି ଖରିଫ ସିଜନ୍ ୨୦୨୬–୨୭ ଧାନ କିଣା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭ ଉଦ୍ଘାଟନ ହୋଇଛି। ରାଜ୍ୟର ଉପ–ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜିଲ୍ଲା ଚାଷୀ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସ୍ୱାଇଁଙ୍କ ହାତରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

image
image

ଏହି ଅବସରରେ ଉପ–ମୁଖ୍ୟମନ୍ତ୍ରୀ ଉପ–ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ, ତହସିଲଦାର, ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହ ସମସ୍ତ ସମ୍ପୃକ୍ତ ଅଧିକାରୀମାନଙ୍କୁ ସମ୍ବୋଧିତ କରି ଏବର୍ଷ ଧାନ କ୍ରୟ ପ୍ରକ୍ରିୟାକୁ ସୁଚାରୁ, ସ୍ୱଚ୍ଛ, ସମୟବଦ୍ଧ ଓ ଚାଷୀ–ବନ୍ଧୁ ଭାବେ ପରିଚାଳନା କରିବାକୁ ଗୁରୁତ୍ୱ ଦେଇଥିଲେ।
ସେ ଚାଷୀମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଟୋକନ୍ ମାଧ୍ୟମରେ ଧାନ ବିକ୍ରି ପରେ ଯେଉଁ ବଳକା ଧାନ ରହିଯାଏ, ସେହି ଧାନକୁ ଘରେ ଉଁସାଇ ସ୍ଥାନୀୟ ଚାଉଳ ମିଲରେ ପେଷି ଘରୋଇ ଚାଉଳ ଭାବେ ବ୍ୟବହାର କରିବା ଦ୍ୱାରା ପରିବାରର ଖାଦ୍ୟ ସୁରକ୍ଷା ସୁଦୃଢ଼ ହେବା ସହ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ମିଳିପାରିବ।

ଜିଲ୍ଲା ଚାଷୀ ପ୍ରତିନିଧି ଶ୍ରୀ ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ନିଜ ବକ୍ତବ୍ୟରେ ଚାଷୀମାନଙ୍କୁ ଝୋଟ ବ୍ୟାଗ୍‌ରେ ଧାନ ଭର୍ତ୍ତି କରି ମଣ୍ଡିକୁ ଆଣିବା ସହ ଧାନକୁ ଭଲଭାବେ ଉଡ଼ାଇ, ସଠିକ୍ ଭାବେ ଶୁଖାଇ ଓ ପରିଷ୍କାର କରି ଆଣିଲେ କଟଣି ରୁ ରକ୍ଷା ପାଇପାରିବେ ବୋଲି ସଚେତନ କରିଥିଲେ।

ଉପ–ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତାଙ୍କ ବକ୍ତବ୍ୟରେ ଜଣାଇଥିଲେ ଯେ, ଏବର୍ଷ ଧାନ ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହ ଲକ୍ଷଣୀୟ ଭାବେ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ପ୍ରାୟ ୧୦ ହଜାର ନୂତନ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଏହି ଖରିଫ ଋତୁରେ ପୁରୀ ଜିଲ୍ଲାରେ ପ୍ରାୟ ୨୨ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯାହା ଗତ ସରକାର ସମୟର ଦୁଇଗୁଣା ଏବଂ ଏହା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି ବୋଲି ସେ କହିଥିଲେ।

ଶେଷରେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ସମସ୍ତ ଚାଷୀ, ଅତିଥି ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply