ନୟାଗଡ଼, ତା- ୨୦.୧.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ୨ୟ ଦିବସରେ ୟୁନାଇଟେଡ କ୍ଳବ୍ ଭୁବନେଶ୍ୱର ଏବଂ ଏସ ଜେ ସି ଫୁଟବଲ କେରଳ ଦଳ ପରସ୍ପରକୁ ଭେଟିଥିଲେ।

ଶକ୍ତିଶାଳୀ କେରଳ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ଆରମ୍ଭ କରିଥିଲେ ଏବଂ ପ୍ରଥମାର୍ଦ୍ଧର ପୂର୍ବରୁ ୩୭ ମିନିଟ୍ ସମୟରେ କେରଳର ୬୭ ନମ୍ବର ଖେଳାଳି ଗୋଟିଏ ଗୋଲ୍ ମାରି ଦଳକୁ ୧ – ୦ରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ୱର ଦଳ ଗୋଲ୍ ଟିକୁ ପରିଶୋଧ କରି ସ୍ଥିତିକୁ ୧ – ୧ରେ ବରାବର କରିବାରେ ସମର୍ଥ ହୋଇଥିଲେ । ଶେଷରେ ଖେଳ ଶେଷ ହେବାର ୧୦ ମିନିଟ୍ ପୂର୍ବରୁ କେରଳର ୧୦ ନମ୍ବର ଖେଳାଳି ଆଉ ଗୋଟିଏ ଗୋଲ୍ ମାରି କେରଳକୁ ୨ – ୧ରେ ଆଗୁଆ ରଖିବା ସହ ଦଳକୁ ବିଜୟୀ କରିବାରେ ସମର୍ଥ ହୋଇଥିଲେ । ମୁଖ୍ୟ ରେଫରୀ ଭାବେ ଜ୍ୟୋତି ରଞ୍ଜନ ସ୍ବାଇଁ ଖେଳ ପରିଚାଳନା କରିଥିଲେ ଏବଂ ତାଙ୍କୁ ପ୍ରସନ୍ନ ନାୟକ ଓ ଶରତ ମହାରଣା ସହାୟତା କରିଥିଲେ।

ଏଥି ସହିତ ରେଫରି ରାଜୁ ମହାନ୍ତି ୪ର୍ଥ ରିଫରି ଭାବେ କାର୍ଯ୍ୟ ତୁଲାଇ ଥିଲେ। ଏହି ଖେଳରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ରଙ୍ଗୀନ ମହାନ୍ତି , ଜିଲ୍ଲା ଗୁଇନ୍ଦା ବିଭାଗର ଅଧିକାରୀ ଡ଼ଃ ଦିନେଶ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ୟୁଥ୍ କ୍ଳବର ସଭାପତି ଶେଖ୍ ୟୁସୁଫ, ସମ୍ପାଦକ ଅନୱର୍ ଅଲ୍ଲୀ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର କହଁର ,ସଂଗଠନ ସମ୍ପାଦକ ହଜରତ ଅଲ୍ଲୀ ଖାଁ, ସରିଫ ଖାଁ, ଶେଖ୍ ନଇମ୍ , ବିଭୁ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ।
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲେ। ପଡ଼ିଆରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା । ଏ ସବୁ ସତ୍ତ୍ୱେ ଏ ସୁନ୍ଦର ଟୁର୍ଣ୍ଣାମେଣ୍ଟର ନିର୍ମାତା ତଥା ପ୍ରଚ୍ଛଦପଟ୍ଟ ନାୟକ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କ ଅନୁପସ୍ଥିତିକୁ ସମସ୍ତେ ଅନୁଭବ କରିଥିଲେ ।











