Home / ମୁଖ୍ୟ ଖବର / ପ୍ରଶାନ୍ତଙ୍କ ଚିଠି ପରେ ପୋଲିସ୍ ଆକ୍ସନ ମୁଡରେ : କୋଣାର୍କରେ ନକଲି କାଜୁ ବ୍ୟବସାୟ ଉପରେ ବଡ଼ ଚଢାଉ

ପ୍ରଶାନ୍ତଙ୍କ ଚିଠି ପରେ ପୋଲିସ୍ ଆକ୍ସନ ମୁଡରେ : କୋଣାର୍କରେ ନକଲି କାଜୁ ବ୍ୟବସାୟ ଉପରେ ବଡ଼ ଚଢାଉ

whatsapp image 2026 01 31 at 5.55.09 pm

ପୁରୀ, ୩୧/୧/୨୦୨୬ – ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଓ ପର୍ଯ୍ୟଟନ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ପର୍ଯ୍ୟଟକ ଠକେଇ ଓ ନକଲି କାଜୁ ବ୍ୟବସାୟ ଘଟଣାକୁ ନେଇ ଏବେ ପୁରୀ ଜିଲ୍ଲା ପୋଲିସ୍ ଆକ୍ସନ ମୁଡରେ ଆସିଛି। ବିଜେପି କୃଷକ ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ)ଙ୍କ ଚିଠି ପରେ ପୋଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଓ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ କୋଣାର୍କ ଟୁରିଷ୍ଟ ମାର୍କେଟ ଅଞ୍ଚଳରେ ଥିବା ଏକ କାଜୁ ଗୋଦାମ ଘରେ ଆକସ୍ମିକ ଚଢ଼ାଉ କରିଥିଲେ।

image
image

ଚଢ଼ାଉ ସମୟରେ ପୋଲିସ୍ ଲକ୍ଷାଧିକ ଟଙ୍କା ମୂଲ୍ୟର କାଜୁ, ରାମଦାନା, ନକଲି ପ୍ୟାକିଂ ପାଉଚ୍ ଏବଂ କାଜୁ ପ୍ୟାକିଂରେ ବ୍ୟବହୃତ ମେସିନ୍ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ “ପ୍ରିମିୟମ୍ କାଜୁ” ନାମରେ ୫୦୦ରୁ ୬୦୦ ଟଙ୍କା ଦାମରେ ପ୍ୟାକେଟ୍ ବିକ୍ରି କରାଯାଇ, ଉପରେ କିଛି କାଜୁ ରଖି ତଳଭାଗରେ ନକୁଳ ଦାନା, ଖୁସ୍‌ଖୁସ୍ (ପୋଷ୍ଟା), ଏଲାଇଚି ଦାନା ଓ ଅନ୍ୟ ନିମ୍ନମାନର ସାମଗ୍ରୀ ଭରାଯାଉଥିଲା।

କେତେକ ମାମଲାରେ କାଜୁ ପଚିଯାଇଥିବା ଓ ଖାଦ୍ୟ ଉପଯୋଗ ଅଯୋଗ୍ୟ ଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହି ଠକେଇ ଘଟଣା ସୋସିଆଲ୍ ମିଡିଆ—ଏକ୍ସ ଓ ଫେସବୁକରେ ଭାଇରାଲ୍ ହେବା ପରେ ରାଜ୍ୟସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ପର୍ଯ୍ୟଟକ ଏଭଳି ଅନୁଭବ ପରେ କୋଣାର୍କ ଓ ଓଡ଼ିଶାକୁ ଆଉ ଆସିବାକୁ ଅନିଚ୍ଛୁକ ବୋଲି କହିଥିବାରୁ ରାଜ୍ୟର ପର୍ଯ୍ୟଟନ ଛବି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି।
ଆଇନ ବିଶେଷଜ୍ଞମାନଙ୍କ ମତରେ, ଏଭଳି ଠକେଇ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୦, ୪୧୫/୪୧୭, ଉପଭୋକ୍ତା ସୁରକ୍ଷା ଆଇନ–୨୦୧୯ ଏବଂ ଏଫ୍‌ଏସ୍‌ଏସ୍‌ଏଆଇ ନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଓଡ଼ିଶା ପର୍ଯ୍ୟଟନ ବ୍ୟବସାୟ ନିୟମାବଳୀ ଅନୁଯାୟୀ ଲାଇସେନ୍ସ ବାତିଲ୍ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି।

ପୋଲିସ୍ ଜବତ ସାମଗ୍ରୀର ମୂଲ୍ୟାଙ୍କନ ସହ ଏହି ନକଲି କାଜୁ ବ୍ୟବସାୟ ପଛରେ ଥିବା ନେଟ୍‌ୱର୍କ ବିଷୟରେ ତଦନ୍ତ ଜୋରଦାର କରିଛି। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ୍ ସୂଚନା ଦେଇଛି।

ଏହି ମାମଲାରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ। ଏହି ମଧ୍ୟରେ କୋଣାର୍କ ସହରରେ ପର୍ଯ୍ୟଟକଙ୍କୁ ପୋସ୍ତକ ନାଁରେ ଘାସ ଦାନା ବିକ୍ରି କରୁଥିବା ଅଭିଯୋଗରେ ପୋଲିସ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। କିନ୍ତୁ ନକଲି କାଜୁ ବେପାରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply