ପୁରୀ: ୩୧/୦୧/୨୦୨୬ – ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ସହରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଏହି ପରିପ୍ରେକ୍ଷିତରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଚେକିଂ ଓ ସତର୍କତା ଅଭିଯାନ ଚାଲାଯାଇଛି।
ସହରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ବିଶେଷକରି ହୋଟେଲ ଓ ଲଜ୍ଗୁଡ଼ିକୁ ନଜରରେ ରଖି ଅଚମ୍କା ଚେକିଂ କରାଯାଇଛି। ଏହି ବିଶେଷ ଅଭିଯାନଟି ସିଟି ଡିଏସପି ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସଂପାଦିତ ହୋଇଥିଲା।
ଅଭିଯାନ ସମୟରେ ସୀବିଚ ଥାନା, ବାଲିଆପାଣ୍ଡା ଥାନା, ଟାଉନ ଥାନା, ବାସେଳୀସାହି ଥାନା ଓ କୁମ୍ଭାରପଡା ଥାନାର ଆଇଆଇସିମାନେ ସେମାନଙ୍କର ପୋଲିସ ଷ୍ଟାଫ ସହ ରାତି ସମୟରେ ବିଭିନ୍ନ ହୋଟେଲ ଓ ଲଜ୍ରେ ତଦନ୍ତ କରିଥିଲେ।
ଚେକିଂ ସମୟରେ ହୋଟେଲ ରେଜିଷ୍ଟର, ଗେଷ୍ଟ ଏଣ୍ଟ୍ରି ବିବରଣୀ, ରହୁଥିବା ଅତିଥିମାନଙ୍କର ପରିଚୟ ପତ୍ର, ସିସିଟିଭି କ୍ୟାମେରାର ସ୍ଥିତି, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚଳାଚଳ ଉପରେ ବିଶେଷ ନଜର ରଖାଯାଇଥିଲା। କିଛି ହୋଟେଲରେ ରେକର୍ଡ ସଠିକ୍ ଭାବେ ରଖାଯାଇନଥିବା ଦେଖାଯାଇଥିବାରୁ ସମ୍ପୃକ୍ତ ହୋଟେଲ ମାଲିକ ଓ ପ୍ରବନ୍ଧକଙ୍କୁ କଡା ସତର୍କବାଣୀ ଦିଆଯାଇ ତତ୍କ୍ଷଣାତ୍ ରେକର୍ଡ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ପୁରୀ ଏକ ପ୍ରସିଦ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ହେବାରୁ ସହରରେ ସଦା ସମୟରେ ଭକ୍ତ, ପର୍ଯ୍ୟଟକ ଓ ଅତିଥିମାନଙ୍କ ଆଗମନ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା ଅବୈଧ କାର୍ଯ୍ୟକଳାପ ଘଟିବା ନ ଦେବା ପାଇଁ ପୂର୍ବ ସତର୍କତା ଭାବେ ଏହି ତଦନ୍ତ କରାଯାଇଛି।
ଏହା ସହ ସହରରେ ନିୟମିତ ପେଟ୍ରୋଲିଂ, ଚେକ୍ପୋଷ୍ଟ ତଦନ୍ତ, ଡଗ୍ ସ୍କ୍ୱାଡ଼ ଓ ବମ୍ବ ସ୍କ୍ୱାଡ଼ ମୋତାୟନ, ଇଣ୍ଟେଲିଜେନ୍ସ ନଜରଦାରୀକୁ ମଧ୍ୟ ଆହୁରି ଜୋରଦାର କରାଯାଇଛି।
ପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ଓ ଲଜ୍ ମାଲିକ, ପ୍ରବନ୍ଧକ ଏବଂ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି— କୌଣସି ସନ୍ଦିଗ୍ଧ ବ୍ୟକ୍ତି ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନାକୁ ଅବଗତ କରାନ୍ତୁ, ଅତିଥିମାନଙ୍କର ପରିଚୟ ପତ୍ର ଯାଞ୍ଚ ନିଶ୍ଚିତ କରନ୍ତୁ ଏବଂ ସିସିଟିଭି କ୍ୟାମେରା ସଚଳ ରଖନ୍ତୁ।
ମାନ୍ୟବର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଦେଶ ପାଇଁ ଗୌରବର ବିଷୟ ହୋଇଥିବା ବେଳେ, ଏହାକୁ ସୁରକ୍ଷିତ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ପୁରୀ ପୋଲିସ ସମ୍ପୂର୍ଣ୍ଣ ସଜାଗ ଓ ପ୍ରତିବଦ୍ଧ ରହିଛି। ଏପରି ସୁରକ୍ଷା ଓ ସତର୍କତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।











