ସତ୍ୟବାଦୀ, ୭/୨/୨୦୨୬ : ଦଶମ ସତ୍ୟବାଦୀ ମହୋତ୍ସବର ତୃତୀୟ ସନ୍ଧ୍ୟାକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଉଦଘାଟନୀ ସଭାରେ ପୁରୀ ସାଂସଦ ଡଃ ସମ୍ବିତ କୁମାର ପାତ୍ର, ସମାଜସେବୀ ନିଶିକାନ୍ତ ମିଶ୍ର ଓ ସତ୍ୟବାଦୀ ମହୋତ୍ସବର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ସଭାର ସଭାପତିତ୍ୱ ନିର୍ବାହ କରିଥିଲେ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର।

ମହୋତ୍ସବର ସମ୍ପାଦକ ଦୀପକ ଶତପଥୀ ଅତିଥିମାନଙ୍କୁ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମହୋତ୍ସବ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ।

ସାଂସ୍କୃତିକ ସନ୍ଧ୍ୟାରେ କ୍ଷୀରୋଦ ପ୍ରଧାନଙ୍କ ନେତୃତ୍ୱରେ ‘ଷ୍ଟାର ଧମକା’ ଦଳ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ‘ଶିଳ୍ପିକା କ୍ରିଏଟିଭ ଡ୍ୟାନ୍ସ’ ତରଫରୁ ନୃତ୍ୟ ପରିବେଷଣ ହୋଇଥିଲା। ସାକ୍ଷୀଗୋପାଳ ହାନା ତାଇକୁଣ୍ଡୋର ଛାତ୍ରଛାତ୍ରୀମାନେ ନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ସେହିପରି ସାଇ ସମୃଦ୍ଧି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ‘ସତ୍ୟବାଦୀ ସଂଳାପ’ ପରିବେଷଣ ହୋଇଥିଲା। ବିଳମ୍ବିତ ରାତିରେ ରୁକୁ ସୁନା ଓ ତାଙ୍କ ଦଳ ସହିତ ଓସୋହିଲି ମିଶ୍ରଙ୍କ ଦଳ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନୋରଞ୍ଜିତ କରିଥିଲେ। ଶୀତଳ ରାତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମହୋତ୍ସବର ଆନନ୍ଦ ଉପଭୋଗ କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ପ୍ରେରଣା ପ୍ରତୀକ ସିଂ। ଏହି ଅବସରରେ ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡ଼ିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା, ଏସଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଅଧିକାରୀ ସୈମ୍ୟରଞ୍ଜନ ମହାଲିକା ଉପସ୍ଥିତ ଥିଲେ।
ଏହି ଅବସରରେ ସତ୍ୟବାଦୀର ସାମ୍ବାଦିକ କିଶୋର ମହାପାତ୍ର ଓ ଅଶୋକ ବେହେରାଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡ଼ଃ ପ୍ରୀତମ ବାଗ, ଶିକ୍ଷକ ପ୍ରଭାତ ରଥ ଓ ଗୋସେବକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଏହା ସହିତ ବିଶିଷ୍ଟ ବେହେଲା ବାଦକ ନେତ୍ରାନନ୍ଦ ବେହେରାଙ୍କୁ ସୁରେନ୍ଦ୍ରନାଥ ସ୍ମୃତି ସମ୍ମାନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।












