ସାକ୍ଷୀଗୋପାଳ: ୧୧/୦୨/୨୦୨୬ – ହାତରେ ରାମନାମ ଲିଖିତ ପତାକା, କପାଳରେ ଚନ୍ଦନ ଓ ସିନ୍ଦୁର ତିଳକ, ଖାଲିପାଦରେ ଅଟୁଟ ଆସ୍ଥା ସହ ଦୀର୍ଘ ପଦଯାତ୍ରା—ଏହି ଅଦମ୍ୟ ଭକ୍ତିର ପରିଚୟ ଦେଇ ମଧ୍ୟପ୍ରଦେଶରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛନ୍ତି ଭକ୍ତ ନନ୍ଦୁରାମ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ସଦଭାବନା ସ୍ଥାପନା ପାଇଁ ପ୍ରାର୍ଥନା କରିବା ତାଙ୍କର ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
ମଧ୍ୟପ୍ରଦେଶର ଚିତୋର ଜିଲ୍ଲାରୁ ଗତ ଡିସେମ୍ବର ୨ ତାରିଖରେ ସେ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରତିଦିନ ପ୍ରାୟ ୪୦ କିଲୋମିଟର ଖାଲିପାଦରେ ଚାଲି ଏପର୍ଯ୍ୟନ୍ତ ସେ ପ୍ରାୟ ୧୬୦୦ କିଲୋମିଟର ଦୂରତା ଅତିକ୍ରମ କରିଥିବା କହିଛନ୍ତି। ଯାତ୍ରା ପଥରେ ବିଭିନ୍ନ ମନ୍ଦିର, ମଠ ଓ ଧାର୍ମିକ ସ୍ଥାନରେ ବିଶ୍ରାମ କରି ସେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରୁଛନ୍ତି ଓ ବିଶ୍ୱ ଭାତୃତ୍ୱ, ସନାତନ ଧର୍ମର ମୂଲ୍ୟବୋଧ, ଏବଂ ଗୋମାତା ସେବା-ସୁରକ୍ଷା ବିଷୟରେ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି।
ମଙ୍ଗଳବାର ସେ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଠାକୁରଙ୍କ ହୋଲି ବେଶ ଦର୍ଶନ କରି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। ପରେ ବକୁଳ ବନ ସ୍ଥିତ ସିଦ୍ଧ ମହାବୀର ମନ୍ଦିରରେ ରାତ୍ରି ବିଶ୍ରାମ ପାଇଁ ମନ୍ଦିର କମିଟି ପକ୍ଷରୁ ତାଙ୍କ ରହିବା ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା। ବୁଧବାର ସକାଳେ ସେ ପୁନର୍ବାର ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା ଜାରି ରଖିଥିଲେ। ଅଟୁଟ ଆସ୍ଥା ଓ ଅଦମ୍ୟ ଇଚ୍ଛାଶକ୍ତି ସହ ନନ୍ଦୁରାମଙ୍କ ଏହି ପଦଯାତ୍ରା ଅନେକଙ୍କ ପାଇଁ ପ୍ରେରଣାର ସୂତ୍ର ହୋଇପାରିଛି। ମହାପ୍ରଭୁଙ୍କ ଚରଣେ ଜଗତ କଲ୍ୟାଣର ପ୍ରାର୍ଥନା ସହ ଏହି ଭକ୍ତଙ୍କର ଆଧ୍ୟାତ୍ମିକ ଯାତ୍ରା ଏବେ ଶ୍ରୀଜଗନ୍ନାଥ ଧାମ ଅଭିମୁଖେ ଅଗ୍ରସର।











