ପିପିଲି, ୧୬/୨ : ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଦାଣ୍ଡମୁକୁନ୍ଦପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କ ପୀଠରେ ୨ୟ ଓ ସର୍ବବୃହତ ୧୪୧ କୁଣ୍ଡୀୟ ନିଖିଳ ବ୍ରହ୍ମାଣ୍ଡ ଗାୟତ୍ରୀ ଗୋମାତା ବିଶ୍ୱଶାନ୍ତି ମହାଯଜ୍ଞ ଭବ୍ୟ ଭାବେ ଆରମ୍ଭ ହୋଇଛି। ଯଜ୍ଞକୁ କେନ୍ଦ୍ର କରି ସମଗ୍ର ଅଞ୍ଚଳରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଯଜ୍ଞସ୍ଥଳରେ ବେଦମନ୍ତ୍ରର ଧ୍ୱନି, ହରିନାମ ସଙ୍କୀର୍ତ୍ତନ ଓ ଧୂପ-ଧୂନାର ସୁଗନ୍ଧରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।
ସୋମବାର ୨ୟ ଦିନର ମୁଖ୍ୟ ଆକର୍ଷଣ ଥିଲା ଭବ୍ୟ କଳସ ଓ ଜଳ ଶୋଭାଯାତ୍ରା। ପୂର୍ବାହ୍ଣରେ ପ୍ରାୟ ଦୁଇ ହଜାରରୁ ଅଧିକ ମହିଳା ଭକ୍ତ ପାରମ୍ପରିକ ବେଶଭୂଷାରେ ଗୋପାଳଜିଉ ବଡ଼ ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରି ବେଦ ମନ୍ତ୍ର ଓ ହରିନାମ ସଙ୍କୀର୍ତ୍ତନ ମଧ୍ୟରେ କଳସରେ ଆଣି ଯଜ୍ଞବେଦୀରେ ସ୍ଥାପନ କରିଥିଲେ। ଏହି ଭକ୍ତିମୟ ଶୋଭାଯାତ୍ରା ଦେଖିବାକୁ ରାସ୍ତା ଦୁଇ ପାର୍ଶ୍ୱରେ ଲୋକମାନଙ୍କ ଭିଡ଼ ଲାଗିଥିଲା ଓ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।

ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଯଜ୍ଞସ୍ଥଳରେ ପହଞ୍ଚି ମା’ ବଗଳାମୁଖୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଥିଲେ। ସେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ସର୍ବମଙ୍ଗଳ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଥିଲେ। ଯଜ୍ଞସ୍ଥଳରେ ଥିବା ଭବ୍ୟ ବ୍ୟବସ୍ଥା ଓ ଧାର୍ମିକ ଆୟୋଜନ ଦେଖି ସେ ଆନନ୍ଦିତ ହୋଇଥିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ।

ନଡାଛପର ଓ ବାଉଁଶରେ ନିର୍ମିତ ୧୪୧ଟି ଯଜ୍ଞବେଦୀ ଏବଂ ଯଜ୍ଞସ୍ଥଳର ଚତୁଃପାର୍ଶ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୨ ବେଶର ପ୍ରତିକୃତି, ବିଭିନ୍ନ ଦେବଦେବୀ ଓ ସାଧୁ-ସନ୍ତଙ୍କ ବିଗ୍ରହ ସ୍ଥାପନ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପଶ୍ଚିମବଙ୍ଗର କାରିଗରମାନଙ୍କ ସହଯୋଗରେ ବାଉଁଶ ଓ ସୋଲାରେ ତିଆରି ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ଆକୃତି ମଧ୍ୟ ଦର୍ଶନାର୍ଥୀଙ୍କ ମନକୁ ମୋହିତ କରୁଛି।
ଯଜ୍ଞ କମିଟିର ଅଧ୍ୟକ୍ଷ ପଣ୍ଡିତ ଦେବାଶିଷ ନନ୍ଦ ଓ ଅନ୍ୟାନ୍ୟ ବେଦପାଠୀ ପଣ୍ଡିତମାନଙ୍କ ସହ ସେ ଆଲୋଚନା କରି ଯଜ୍ଞର ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ଅବଗତ ହୋଇଥିଲେ। ବେଦମନ୍ତ୍ର ଓ ହୋମାହୁତି ମାଧ୍ୟମରେ ବିଶ୍ୱଶାନ୍ତି, ପରିବେଶ ସୁରକ୍ଷା ଓ ସମାଜର କଳ୍ୟାଣ ପାଇଁ ପ୍ରାର୍ଥନା କରାଯାଉଛି ବୋଲି ଆୟୋଜକମାନେ କହିଛନ୍ତି।
ଆସନ୍ତା କିଛି ଦିନ ଧରି ଚାଲିବାକୁଥିବା ଏହି ମହାଯଜ୍ଞରେ ପ୍ରତିଦିନ ଧାର୍ମିକ କାର୍ଯ୍ୟକ୍ରମ, ଭଜନ-ସନ୍ଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଦୂରଦୂରାନ୍ତରୁ ଭକ୍ତମାନେ ଆସି ମା’ ବଗଳାମୁଖୀଙ୍କ ଦର୍ଶନ କରିବା ସହ ଯଜ୍ଞରେ ସାମିଲ ହେଉଛନ୍ତି। ସମଗ୍ର ଅଞ୍ଚଳ ଏକ ଧାର୍ମିକ ମହୋତ୍ସବର ରୂପ ଧାରଣ କରିଥିବା ବେଳେ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପ୍ରଚାରିତ ହେଉଛି।











