ନୟାଗଡ଼,ତା-୨୧.୨.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ-ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଯୋଗଦେଇ ସମର୍ପଣ ଅନ୍ତେବାସୀ ମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ଆୟୋଜିତ ସଭାକୁ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ସଂଯୋଜନା କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ

କରିଥିଲେ। ମୁଖ୍ଯ ଅତିଥି ତଥା ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର ସଭାପତି ଶ୍ରୀମତୀ ରଥ କହିଥିଲେ ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ ମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ସମର୍ପଣ ବୃଦ୍ଧାଶ୍ରମ କେବଳ ନୟାଗଡ଼ ମାଟିରେ ନୁହେଁ ସମଗ୍ର ଓଡିଶାରେ ଏକ ଅନନ୍ଯ ଉଦାହରଣ ସୃଷ୍ଟି କରିପାରିଛି। ଅସହାୟ ମାନଙ୍କ ପାଇଁ ସହାୟ ହେଉଛି ଏହି ସମର୍ପଣ ବୃଦ୍ଧାଶ୍ରମ। ସମର୍ପଣ ଗୃହର ପରିଚାଳନା ସହିତ କଳେବର ବୃଦ୍ଧିରେ ସହଯୋଗ କରୁଥିବା ସମସ୍ତ ବଦାନ୍ଯ ବ୍ଯକ୍ତି ବିଶେଷ ମାନଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ପ୍ରତିଦିନ ନିଃଶ୍ଳୁକ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘର କର୍ମକର୍ତ୍ତା ମାନଙ୍କୁ ମଧ୍ଯ ସାଧୁବାଦ ଜ୍ଞାପନ କରିଥିଲେ। ସମର୍ପଣ ପ୍ଳେସ୍କୁଲ ପରିଚାଳନା ପାଇଁ ମାସିକ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବଳଭଦ୍ର ପ୍ରସାଦ ପଟ୍ଟନାୟକ ଓ ସଂଗୀତା ପଟ୍ଟନାୟକ ଦମ୍ପତିଙ୍କୁ ମୁଖ୍ଯ ଅତିଥି ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଳବ୍, ଭାରତ ବିକାଶ ପରିଷଦ,ଦେବଦୂତ ସେବା ପରିଷଦ,ବରିଷ୍ଠ ନାଗରିକ ମଞ୍ଚ ଓ ନୟାଗଡ଼ ସହରର ବହୁ ବୁଦ୍ଧିଜିବୀ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ଯ ମାନେ ଉପସ୍ଥିତ ଥିଲେ। ପରିଶେଷରେ ସମର୍ପଣ ପରିଚାଳନା କମିଟିର କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ସମସ୍ତ ଉପସ୍ଥିତ ବରିଷ୍ଠ ନାଗରିକ, ପରିଚାଳନା କମିଟିର ସଦସ୍ଯ ଓ କର୍ମଚାରୀ ମାନଙ୍କ ସହଯୋଗ ସଦିଚ୍ଛା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।











