ନୟାଗଡ଼, ତା. ୨୨.୦୨.୨୦୨୬ (ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ): ନୟାଗଡ଼ ପାର୍କଲେନ ଅଞ୍ଚଳର ବରିଷ୍ଠ ନାଗରିକ ରମାକାନ୍ତ ମିଶ୍ର ତାଙ୍କ ନନା ସ୍ବର୍ଗତ ବନମାଳୀ ମିଶ୍ର ଏବଂ ବୋଉଙ୍କ ପବିତ୍ର ସ୍ମୃତିରେ ନୟାଗଡ଼ର ପ୍ରସିଦ୍ଧ ମା’ ଦକ୍ଷିଣକାଳୀ ମନ୍ଦିରକୁ ୧ ଲକ୍ଷ ଟଙ୍କା ନଗଦ ଦାନ କରିଛନ୍ତି। ପରିବାରର ପୂର୍ବଜଙ୍କ ସ୍ମୃତି ଅମର ରହୁ ଏବଂ ମନ୍ଦିରର ସେବା ପୂଜା ଓ ଉନ୍ନତି କାର୍ଯ୍ୟରେ ସହଯୋଗ ମିଳୁ ବୋଲି ଉଦ୍ଦେଶ୍ୟରେ ଏହି ଅର୍ପଣ କରାଯାଇଥିବା ରମାକାନ୍ତ ମିଶ୍ର କହିଥିଲେ।
ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ନଗଦ ରାଶି ଅର୍ପଣ କରାଯାଇଥିଲା। ସେ ଦାନକୁ ଗ୍ରହଣ କରି ଦାତାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ ଏହି ଅର୍ଥ ମନ୍ଦିରର ବିଭିନ୍ନ ସେବା, ପୂଜାପାଠ ଓ ପରିସର ଉନ୍ନତିରେ ବ୍ୟୟ କରାଯିବ। ଏପରି ଦାନ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ଧାର୍ମିକ ଭାବନାକୁ ଆହୁରି ଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଦାନ କାର୍ଯ୍ୟକ୍ରମ ସମୟରେ ମନ୍ଦିର ପରିସରରେ ଉପସଭାପତି ଲକ୍ଷ୍ମୀଧର ମହାପାତ୍ର, ସାମ୍ବାଦିକ ବୈଦ୍ୟଭୁଷଣ ମହାପାତ୍ର, ସୁବାଷ ଚନ୍ଦ୍ର ମହାପାତ୍ର, ଗଗନ ବିହାରୀ ମିଶ୍ର, ଯାମିନୀକାନ୍ତ ମିଶ୍ର ସହିତ ଅନ୍ୟାନ୍ୟ ସଦସ୍ୟ ଓ ଭକ୍ତମାନେ ଉପସ୍ଥିତ ଥିଲେ। ସମସ୍ତେ ଦାତାଙ୍କ ଏହି ସହଯୋଗକୁ ସ୍ୱାଗତ କରିଥିବା ସହ ମା’ଙ୍କ ଆଶୀର୍ବାଦ ତାଙ୍କ ପରିବାର ଉପରେ ରହୁ ବୋଲି କାମନା କରିଥିଲେ।
ସ୍ଥାନୀୟ ଅଞ୍ଚଳରେ ଏହି ଦାନ କାର୍ଯ୍ୟକ୍ରମ ଧାର୍ମିକ ଓ ସାମାଜିକ ମହଳରେ ପ୍ରଶଂସାର ବିଷୟ ହୋଇଛି। ମନ୍ଦିର ଉନ୍ନତି ପାଇଁ ଏପରି ସହଯୋଗ ଆଗାମୀଦିନରେ ଆହୁରି ଭକ୍ତମାନଙ୍କୁ ପ୍ରେରଣା ଦେବ ବୋଲି ମନ୍ଦିର ପରିଚାଳନା କମିଟି ଆଶା ବ୍ୟକ୍ତ କରିଛି।











