Home / ମୁଖ୍ୟ ଖବର / କୋରାପୁଟରେ ୨୨୫ କୋଟିର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

କୋରାପୁଟରେ ୨୨୫ କୋଟିର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

whatsapp image 2026 02 26 at 2.04.07 pm

କୋରାପୁଟ : ୨୬-୨-୨୦୨୬- ଓଡ଼ିଶା ପୋଲିସ ପକ୍ଷରୁ ଚାଲୁଥିବା ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲାରେ ବଡ଼ ସଫଳତା ମିଳିଛି। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲରେ ଥିବା ଏକ ଅସ୍ଥାୟୀ ନିଶାଦ୍ରବ୍ୟ ପ୍ରସ୍ତୁତି କେନ୍ଦ୍ର ଉପରେ ପୋଲିସ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଘଟଣାସ୍ଥଳରୁ ତେଲ ପ୍ରସ୍ତୁତି ସାମଗ୍ରୀ ଓ ଯନ୍ତ୍ରପାତି ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ଫେରାର ହୋଇଥିବା ବେଳେ ସେମାନଙ୍କ ଖୋଜାଖୋଜି ଜାରି ରହିଛି।

ଏହାସହ ଅନ୍ୟ ଏକ କାର୍ଯ୍ୟାନୁଷ୍ଠାନରେ ନନ୍ଦପୁର ଥାନା ପୋଲିସ ୧୧୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ। ୨ଟି ପିକଅପ୍ ଗାଡ଼ିରେ ଚୋରାଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଏହି ଚଢ଼ାଉ କରିଥିଲା। ଗିରଫ ହୋଇଥିବା ମଧ୍ୟରୁ ଦୁଇଜଣ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳର ଓ ଅନ୍ୟ ଦୁଇଜଣ ହରିୟାଣାର ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ଗଞ୍ଜେଇର ବଡ଼ ପରିମାଣ ପରିବହନ କଷ୍ଟସାଧ୍ୟ ଓ ସହଜରେ ଧରାପଡ଼ୁଥିବାରୁ ଅପରାଧୀମାନେ ଏବେ ଗଞ୍ଜେଇରୁ ହାଶିଶ ତେଲ ପ୍ରସ୍ତୁତ କରି କମ୍ ପରିମାଣରେ ଉଚ୍ଚ ମୂଲ୍ୟର ମାଦକଦ୍ରବ୍ୟ ପରିବହନ କରିବାରେ ଲାଗିଛନ୍ତି। ୧ ଲିଟର ହାଶିଶ ତେଲର ମୂଲ୍ୟ ସାଧାରଣତଃ ୧ କିଲୋ ଗଞ୍ଜେଇଠାରୁ ପ୍ରାୟ ୨୫ ଗୁଣ ଅଧିକ ଥାଏ।

ରାଜ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ଅବୈଧ ଉତ୍ପାଦନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଆଗାମୀ ଦିନରେ ଅଭିଯାନକୁ ଆହୁରି ତୀବ୍ର କରାଯିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply