ନୟାଗଡ଼,ତା-୨୮.୦୨.୨୦୨୬ରିଖ -ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ। -ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ ପରିସରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”ର ଦ୍ଵିତୀୟ ସୋପାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଭଗବାନ ସାହୁ ଦୀପ ପ୍ରଜ୍ଜ୍ୱଳନ କରି ମା ଶାରଦାଙ୍କ ନିକଟରେ କାର୍ଯ୍ୟକ୍ରମର ସାଫଲ୍ୟତା ଭିକ୍ଷା କରିଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ପରିଚୟ ପ୍ରଦାନ କରି ଓ ସ୍ବାଗତ ଭାଷଣ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ସାହୁ ମହୋଦୟ ଶିଶୁର ଶାରୀରିକ ଓ

ମାନସିକ ଆବଶ୍ୟକତା,ପରିବାର,ଆହାର ଓ ବିହାର ବ୍ୟବସ୍ଥା ବିଷୟରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ହିନ୍ଦୁ ଜୀବନ ଦର୍ଶନକୁ ଆଧାର କରି ଭାରତୀୟ ଶିକ୍ଷାବ୍ୟବସ୍ଥା ପ୍ରଚଳିତ। ଶିଶୁ ମାତୃଗର୍ଭରୁ ଆରମ୍ଭ କରି ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥାଏ। ଶିଶୁର ସର୍ବାଙ୍ଗୀନ ବିକାଶ ନିମିତ୍ତ ତା’ର ପରିବାର, ପିତାମାତା, ପରିବେଶ, ବିଦ୍ୟାଳୟ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି। ଉତ୍ତମ ଶିଶୁ ଗଠନ ଲାଗି ସାତ୍ତ୍ୱିକ ଭୋଜନର ଆବଶ୍ୟକତା ରହିଛି। ମୁଖ୍ୟ ପ୍ରଶାସକ ମହୋଦୟ ଶିଶୁଙ୍କ ଲାଳନ ପାଳନରେ ପିତାମାତାଙ୍କ ଭୂମିକା ବିଷୟରେ ଅଭିଭାଷଣ ଦେଇଥିଲେ। ଶିଶୁଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ମାନନୀୟ ଡ଼ଃ କୃପାସିନ୍ଧୁ କରଣ ମହୋଦୟ (ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଶିକ୍ଷାବିଭାଗର ଅଧ୍ୟାପକ) ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ଭାଗ୍ୟଲତା ସାହୁ ଓ ସମସ୍ତ ଆଚାର୍ଯ୍ୟ ଆଚର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା।











