ନୟାଗଡ଼, ତା-୨୮.୨.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ବ୍ଲକ ସିପାହୀ ଅଶୃଢିପା ଗ୍ରାମରେ ଏବେ ଠାରୁ ଦେଖାଦେଲାଣି ପାନୀୟଜଳ ସମସ୍ୟା । ନାମକୁ ମାତ୍ର ପୁରୁଣା ପାଣି ପମ୍ପ ହାଉସ୍ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ପମ୍ପ ହାଉସ୍ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇ ପଡ଼ିରହିଛି। କେବଳ ବିପଦ ସଙ୍କୁଳ ଅବସ୍ଥାରେ ଖୋଲା ମେଲାରେ କୂପ ନିକଟରେ ସୁଇଚ୍ ଟିଏ ଲାଗିଛି। ସେହି ସୁଇଚ୍ ମାରିବାରେ କିଛି ସମୟ ପାଇଁ ପାଣି ଆସୁଛି। କିନ୍ତୁ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବରେ କେହି ନାହାଁନ୍ତି। ପଡିଥିବା ପାଇପରେ ସମସ୍ୟା ଯୋଗୁଁ ଠିକରେ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି

ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ପଚାରିବାରୁ ପମ୍ପ ହାଉସରେ ପାଣି ଚାଲୁଛି ବୋଲି ଉତ୍ତର ମିଳୁଛି । କିନ୍ତୁ ଦୁଃଖର ବିଷୟ ଗ୍ରାମରେ ପାଣି ଟୋପାଏ ଠିକରେ ଆସୁନାହିଁ। ଗ୍ରାମବାସୀଙ୍କ ସାହାରା ପାଲଟିଛି କେବଳ ନଳକୂପ। ସବୁ ନଳକୂପରେ ପିଇବା ଯୁକ୍ତ ପାଣି ମିଳୁ ନାହିଁ।ଆଗକୁ ଖରାର ପ୍ରକୋପ ଅଧିକ ମାତ୍ରାରେ ହେବାକୁ ଥିବା ବେଳେ ପାଣି ପାଇଁ ହନ୍ତସନ୍ତ ହୋଇପାରନ୍ତି ଗ୍ରାମବାସୀ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମାନଙ୍କରେ ପିଇବାପାଣି ସଠିକ୍ ଭାବରେ ପହଞ୍ଚିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ନୟାଗଡ଼ ସଦର ମହକୁମା ଠାରୁ ମାତ୍ର ୭କିଲୋମିଟର ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିକଟରେ ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହୋଦୟାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ପାଣି ସମସ୍ୟା ଦୂର କରିବା ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ବସିଥିଲା। ଉକ୍ତ ବୈଠକରେ ସବିଶେଷ ଆଲୋଚନା ହୋଇଥିବା ବେଳେ ମୁଖ୍ୟ ବିଭାଗୀୟ ଅଧିକାରୀ ଓ ଡିପାଟମେଣ୍ଟର ସମସ୍ତ ଅଧିକାରୀଙ୍କ କାର୍ଯ୍ୟ କେବଳ କାଗଜ କଲମରେ ସୀମିତ ବୋଲି ଜଣାପଡିଛି।ସମସ୍ତଙ୍କ ଦୁଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଇପ୍ ପଡ଼ିଥିବା ଓ କଳ ଲାଗିଥିବା ବେଳେ ସଠିକ୍ ଭାବରେ ପାଣି ଆସୁନାହିଁ। ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନଜର କେବେ ଏହି ଗ୍ରାମ ଉପରେ ପଡ଼ିବ ତାହା ଏବେ ଦେଖିବାକୁ ବାକି ରହିଲା।











