Home / ମୁଖ୍ୟ ଖବର / ଦେଉଳିମଠରେ ଗୋପାଳଙ୍କ ଲଉଡ଼ି ଖେଳ ପ୍ରଦର୍ଶନ

ଦେଉଳିମଠରେ ଗୋପାଳଙ୍କ ଲଉଡ଼ି ଖେଳ ପ୍ରଦର୍ଶନ

image

କାକଟପୁର ତା ୧୨ /୩ ( ତୁଷାର ଦୀକ୍ଷିତ ) ଦୋଳ ପୂର୍ଣ୍ଣିମାକୁ ମୁଖ୍ୟତଃ ଯାଦବ ମାନେ ଅତି ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି l ଦୋଳ ଉତ୍ସବର ମୁଖ୍ୟ ଆକର୍ଷଣ ଗୋପାଳଙ୍କ ଲଉଡ଼ି ଖେଳ l ଦୋଳ ପୂର୍ଣ୍ଣମା ତିଥିରେ ଗୋପାଳ ଯୁବକମାନେ ହାତରେ କେନ୍ଦୁବାଡ଼ି ଧରି ବିଭିନ୍ନ ଗୋଠ , ମଠ ଓ ମନ୍ଦିରରେ ସମାରିକ କଳା ପ୍ରଦର୍ଶନ କରିଥାନ୍ତି l କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାର ତଥା ନେତ ବନ୍ଧା ଉତ୍ସବ ଦିନ ମନ୍ଦିର ବେଢାରେ ଗୋପାଳମାନେ ଓଗାଳ ପରିବେଷଣ କରିବା ସାଙ୍ଗକୁ ଫଗୁ ଖେଳିବା ପ୍ରଥା କେଉଁ ଆବାହମାନ କାଳରୁ ରହିଆସିଛି l

image
image

ଏହି ପରମ୍ପରା ଏବେବି ଗୋପାଳମାନେ ବଜାୟ ରଖିଆସିଥିବା ବେଳେ ମା ମଙ୍ଗଳାଙ୍କ ନେତ ବନ୍ଧା ଉତ୍ସବ ସରିବା ପରେ ଗୋପାଳ ମାନେ ବୀର ବେଶ ହୋଇ ପୂର୍ବରୁ ମଙ୍ଗଳପୁର ଠାରେ ଆଉ ଏବେ ଦେଉଳି ମଠ ଠାରେ ବାଡ଼ି ଲଉଡ଼ି ଖେଳ ପ୍ରଦର୍ଶନ କରିଆସୁଛନ୍ତି l ଏହି ଲଉଡ଼ି ଖେଳରେ ୧ ଶହରୁ ଉର୍ଦ୍ଧ ଗୋଠର ଗୋପାଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ l ଏଥିପାଇଁ ବିଚାରକ ମଣ୍ଡଳୀଙ୍କ ( ଦ୍ୱାରା ) ଯୋଗ୍ୟ ବିବେଚିତ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ କାକଟପୁର କାକଟପୁର ବ୍ଳକ ମା ମଙ୍ଗଳା ଯାଦବ ସଂଘ ପକ୍ଷରୁ ପ୍ରତି ବର୍ଷ ପୁରସ୍କୃତ ମଧ୍ୟ କରାଯାଇଥାଏ l ହାତରେ କେନ୍ଦୁବାଡ଼ି , ଅଣ୍ଟାରେ ଘଣ୍ଟି ଘାଗୁଡ଼ି ସହ କେତେକ ପ୍ରତିଯୋଗୀ ଅଣ୍ଟାରେ ବଂଶୀ ବାନ୍ଧିଥାନ୍ତି l ବିଭିନ୍ନ ଗୋଠର ଗୋପାଳମାନେ ଦଳଗତ ହୋଇ ଦେଉଳି ମଠ ପଡିଆରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି l ଓଗାଳ ପରିବେଷଣ ଓ ବାଡ଼ି ଲଉଡ଼ି ପ୍ରଦର୍ଶନ ବେଳେ ବାଜି ଉଠେ ମଇଁଷିର ଶିଙ୍ଗା ଓ ହରିବୋଲ ହୁଳହୁଳି (ଧ୍ଵନି)ରେ ପ୍ରକମ୍ପିତ ହୋଇଉଠେ ଦେଉଳି ମଠର ପରିସର l ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ରଚିତ ଗୋପାଳଙ୍କ ଓଗାଳ ଗାନ କରି ବାଦ୍ୟର ତାଳେ ତାଳେ ଗୋପାଳମାନେ ସହଯୋଗୀମାନଙ୍କ ବାଡ଼ି ସହିତ ନିଜ ବାଡି଼କୁ ପିଟି ଯେଉଁ ଶବ୍ଦ ସୃଷ୍ଟି କରିଥାନ୍ତି ତାହା ସେ ସମୟରେ ଅପୂର୍ବ ଝଙ୍କାର ସୃଷ୍ଟି କରିବା ସହିତ ଦର୍ଶକମାନଙ୍କୁ ବିମୋହିତ କରିଥାଏ l ଏହି ଲଉଡ଼ି ଖେଳ ଦେଖିବାକୁ ଓ ଓଗାଳ ଶୁଣିବାକୁ ଦେଉଳି ମଠରେ ସାଧୁ ସନ୍ୟାସୀଙ୍କ ସହିତ ଲୋକଙ୍କ ଭିଡ଼ ଜମେ l କାରଣ ଗୋପାଳଙ୍କ ଓଗାଳ ଗାନ ଭିତରେ ରାଧା କୃଷ୍ଣଙ୍କ ପ୍ରେମ ଓ ଗୁଣ କୀର୍ତ୍ତନ କରାଯାଇଥାଏ l ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଳକ ଯାଦବ ସଙ୍ଘର ସଭାପତି ପୁରୁଷୋତ୍ତମ ମଠିଆ , ସଂପାଦକ ନୃସିଂହ ପ୍ରସାଦ ପୋଲେଇ , ଯୁବ ସଭାପତି ପ୍ରଶାନ୍ତ ବେହେରା , ଉପସଭାପତି ଦୈତାରୀ ବେହେରା କୋଷାଧ୍ୟକ୍ଷ ମନୋଜ ଦାସ , ଯୁବସଂପାଦକ ଚିତ୍ତ ରଞ୍ଜନ ବେହେରା , ବେଣୁଧର ଦାସ , ସୁବାସ ଦାସ , ଶିବ ପ୍ରସାଦ ଦାସ , ଭରତ ବେହେରାଙ୍କ ସମେତ ପୁରୀ ଜିଲ୍ଲା ଯାଦବସଙ୍ଘର ସଭାପତି ଗୋପାଳ ଚନ୍ଦ୍ର ବେହେରା , ଯାଦବ ଯୁବ ନେତୃତ୍ୱ ମନୋରଞ୍ଜନ ଦାସଙ୍କ ସହିତ ବିଭିନ୍ନ ଗୋଠର ମୁରବୀ ଏବଂ ସଂଘର ସମସ୍ତ କର୍ମକର୍ତ୍ତା , ସଭ୍ୟ, ଓ ଯାଦବଭାଇ ମାନେ ଉପସ୍ଥିତ ଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply