Home / ମୁଖ୍ୟ ଖବର / ଗୋପରେ ଚିକିତ୍ସା ଅବହେଳା ଅଭିଯୋଗ: ୯ ମାସର ଶିଶୁକୁ ୯ ବର୍ଷର ବୟସ ଧରି ଔଷଧ ଲେଖିବାରେ ଡାକ୍ତରଙ୍କ ଭୁଲ

ଗୋପରେ ଚିକିତ୍ସା ଅବହେଳା ଅଭିଯୋଗ: ୯ ମାସର ଶିଶୁକୁ ୯ ବର୍ଷର ବୟସ ଧରି ଔଷଧ ଲେଖିବାରେ ଡାକ୍ତରଙ୍କ ଭୁଲ

prescription1

ଗୋପ, ମାର୍ଚ୍ଚ ୧୨: ପୁରୀ ଜିଲ୍ଲାର ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଗମ୍ଭୀର ଚିକିତ୍ସା ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ମହମ୍ମଦ ସରିଫ୍ ହମଦ ଜଣେ ୯ ମାସ ବୟସର ଶିଶୁଙ୍କୁ ପ୍ରେସକ୍ରିପସନ୍ ଲେଖିବା ସମୟରେ ଭୁଲବଶତଃ ତାଙ୍କ ବୟସ ୯ ବର୍ଷ ଭାବେ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଗୋପ ବ୍ଲକ୍ ଅନ୍ତର୍ଗତ ତରଙ୍ଗିରା ଗ୍ରାମର ବାନାମ୍ବର ମାଝୀଙ୍କ ୯ ମାସର ଝିଅ ଆଦିତ୍ୟା ମାଝୀ ଅସୁସ୍ଥ ହେବାରୁ ପରିବାରଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ପକ୍ଷରୁ ପ୍ରେସକ୍ରିପସନ୍ ଲେଖିବା ସମୟରେ ଶିଶୁର ବୟସ ଭୁଲରେ ୯ ବର୍ଷ ଲେଖାଯାଇଥିବା ଏବଂ ସେହି ଅନୁଯାୟୀ ଅଧିକ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ ଔଷଧ ଓ ଡୋଜ୍ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପ୍ରକାଶ ପାଇବା ପରେ ଶିଶୁର ପରିବାର ସଦସ୍ୟମାନେ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି ହୋଇଛି। ଏପରି ଗମ୍ଭୀର ଭୁଲ ଏକ ଶିଶୁର ଜୀବନକୁ ବିପଦରେ ପକାଇପାରେ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି। ଏହା ସହିତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଥିବା ଚିକିତ୍ସା ସେବାର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଏହି ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ପୁରୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରରେ ସେ ଘଟଣାର ତୁରନ୍ତ ତଦନ୍ତ କରାଯିବା ସହିତ ଅବହେଳା ପ୍ରମାଣିତ ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ସ୍ତରରେ ଆଲୋଚନା ତୀବ୍ର ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକୃତ ପ୍ରତିକ୍ରିୟା ମିଳିନାହିଁ। ଏହି ଘଟଣା ସରକାରୀ ଚିକିତ୍ସା ସେବାର ଦାୟିତ୍ୱବୋଧ ଓ ଗୁଣବତ୍ତା ଉପରେ ନୂଆ ପ୍ରଶ୍ନ ଉଠାଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply