Home / ମୁଖ୍ୟ ଖବର / ସଂପର୍କ ତରଫରୁ ସହିଦ ଦିବସରେ ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ସଂପର୍କ ତରଫରୁ ସହିଦ ଦିବସରେ ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ପୁରୀ, ୨୩ ମାର୍ଚ୍ଚ: ସହିଦ ଦିବସ ଅବସରରେ ‘ସଂପର୍କ’ ଓ ‘ମାଇ ଭାରତ’ ତରଫରୁ ପୁରୀ ଜିଲ୍ଲା ସ୍ତରରେ “ମୋର ଭାରତ, ମୋର ଦାୟିତ୍ୱ” ଶୀର୍ଷକରେ ଏକ ବିଶାଳ ପଦଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ସଫଳତାର ସହିତ ଆୟୋଜିତ ହୋଇଛି।

ଏହି ଅବସରରେ ଦେଶର ଅମର ସହିଦମାନେ ଭଗତ ସିଂହ, ଶିବରାମ ହରି ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ଅପୂର୍ବ ବଳିଦାନକୁ ସ୍ମରଣ କରାଯାଇଥିଲା। ସେଥିସହ ମହାତ୍ମା ଗାନ୍ଧୀ, ସ୍ୱାମୀ ବିବେକାନନ୍ଦ, ଗୋପବନ୍ଧୁ ଦାସ, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଜୟୀ ରାଜଗୁରୁ, ଆଚାର୍ଯ୍ୟ ହରିହର, ସୁଭାଷ ଚନ୍ଦ୍ର ବୋଷ ଓ ମଧୁସୂଦନ ଦାସଙ୍କ ମୂର୍ତ୍ତିରେ ପୁରୀ ସହରର ବିଭିନ୍ନ ୧୪ଟି ସ୍ଥାନରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ପଦଯାତ୍ରା ଅପରାହ୍ନ ୩ଟାରେ ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ ଠାରୁ ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟକ ଯୁବକ-ଯୁବତୀ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକ ଏଥିରେ ସାମିଲ ହୋଇଥିଲେ। ପରେ ସନ୍ଧ୍ୟା ୫ଟାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ୀଙ୍କ ମଧ୍ୟରେ ଦେଶଭକ୍ତି, ନାଗରିକ କର୍ତ୍ତବ୍ୟବୋଧ ଓ ସମାଜିକ ଦାୟିତ୍ୱବୋଧକୁ ଜାଗୃତ କରାଯାଇଥିଲା। ସେଥିସହ ‘ମାଇ ଭାରତ’ ଅଭିଯାନ ଅଧୀନରେ ସ୍ୱେଚ୍ଛାସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏହା ଏକ ସଫଳ ପଦକ୍ଷେପ ରୂପେ ପ୍ରମାଣିତ ହୋଇଛି। ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସକ୍ରିୟ ଭାଗିଦାରି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ଯୁବପିଢ଼ୀଙ୍କ ପାଇଁ ଏହା ଏକ ପ୍ରେରଣାଦାୟକ ଅନୁଭବ ହୋଇଥିଲା।

ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦର୍ଶନ ବିଭାଗର ମୁଖ୍ୟ ଡ଼. ଯୋତି ପ୍ରକାଶ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶୁଭ ପ୍ରକାଶ ଶର୍ମା, ବିଶ୍ୱଜିତ୍ ମିଶ୍ର, ଆଶୁତୋଷ ସ୍ୱାଇଁ, ସରୋଜ ଦାସ ଓ ସିଧାଂଶୁ ଶେଖର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ସଫଳ ସମ୍ପାଦନାରେ ସହଯୋଗ କରିଥିଲେ।

ଉଲ୍ଲେଖ୍ୟ ଯେ, ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖରେ ଭାରତରେ ଶହୀଦ ଦିବସ ପାଳନ କରାଯାଏ। ୧୯୩୧ ମସିହାରେ ଏହି ଦିନ ଭଗତ ସିଂହ, ଶିବରାମ ହରି ରାଜଗୁରୁ ଓ ସୁଖଦେବ ଥାପରଙ୍କୁ ବ୍ରିଟିଶ ସରକାର ଫାଶୀ ଦେଇଥିଲା। ସେମାନଙ୍କ ଅପୂର୍ବ ବଳିଦାନ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲା ଏବଂ ଆଜି ମଧ୍ୟ ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ମୂଳ ସ୍ରୋତ ରହିଛି।

ସହିଦ ଦିବସ ଅବସରରେ ସମସ୍ତ ଅମର ସହିଦମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply