ନୟାଗଡ଼ ,ତା. ୨୬.୦୩.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ। ନୟାଗଡ଼ ମ୍ୟୁନିସିପାଲିଟିରେ ବଡା ଖାନା ଦିବସ ପାଳନ ଅବସରରେ ୧୨୦ ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ‘ବଡାଖାନା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଫେଇ ମିତ୍ର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ମହିଳା କାଉନସିଲର, ମହିଳା କର୍ମଚାରୀ ଏବଂ ଜିଲ୍ଲାସ୍ତରୀୟ ସରକାରୀ ମହିଳା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଅଧ୍ୟକ୍ଷତା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ କର୍ଣ୍ଣଦେବ ସମାଦାର, ଡେପୁଟି କଲେକ୍ଟର ତପତି ରାଜ , ଡେପୁଟି କଲେକ୍ଟର ତପସ୍ଵନି ହାଁସଦା , ଡେପୁଟି କଲେକ୍ଟର ସ୍ଵାତୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ , ଉପ-ନଗରପାଳ ଗୁରୁ ପ୍ରସାଦ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିଜ ହାତରେ ପରସି ଭୋଜନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀଙ୍କ ସମେତ ଆସିଷ୍ଟାଣ୍ଟ କଲେକ୍ଟର ମାନେ ମଧ୍ୟ ଯୋଗ ଦେଇଥିଲେ । ବଡାଖାନା ଅର୍ଥ ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିବା ଓ ପରସ୍ପରକୁ ପରଶିବା । ଆମ ଦେଶର ସଂସ୍କୃତି, ଐତିହ୍ୟ ଏବଂ ଏକତାକୁ ଉଜ୍ଜୀବିତ ରଖିବା ପାଇଁ ଏହି ପ୍ରୟାସ ଏଠାରେ ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପରିମଳ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ। ସ୍ୱାଧୀନତା ଠାରୁ ପରିମଳ ଅଧିକ ଗୁରୁତ୍ଵପୂର୍ଣ୍ଣ ଓ ସଫେଇ କର୍ମଚାରୀଙ୍କ ଅବଦାନ ସମାଜ ପାଇଁ ସବୁଠାରୁ ବେଶୀ ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେମାନଙ୍କୁ ଉତ୍ସାହିତ କରିବା ଓ କର୍ମକ୍ଷେତ୍ରରେ ପୁରସ୍କୃତ କରିବା ଦ୍ୱାରା ଆଗାମୀ ଦିନରେ ଦଳ ଗତ ହୋଇ ଭଲ ପ୍ରଦର୍ଶନ କରିବେ ବୋଲି ଅତିଥି ମାନେ ଗୁରୁତ୍ଵାରୋପ କରିଥିଲେ । ସମସ୍ତ କାଉନସିଲର, ସମସ୍ତ କର୍ମଚାରୀ, ପ୍ଳାଣ୍ଟ , ପାଠାଗାର ପ୍ରଭୃତି ମ୍ୟୁନିସିପାଲିଟି ଅଧୀନ ସମସ୍ତ ସଂସ୍ଥାର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହା ସହିତ ବରିଷ୍ଠ ନାଗରିକ, ସାମ୍ବାଦିକ, ରୋଟାରିଆନ,ବଣିକ ସଂଘ, ସିଭିଲ ସୋସାଇଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସମସ୍ତେ ଏକାଠି ମଧ୍ୟାହ୍ନ ଭୋଜନ ଖାଇଥିଲେ ।











