Home / ମୁଖ୍ୟ ଖବର / ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ବିରୋଧରେ କଡ଼ା ପ୍ରତିକ୍ରିୟା

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ବିରୋଧରେ କଡ଼ା ପ୍ରତିକ୍ରିୟା

ଭୁବନେଶ୍ୱର:୨୨/୫/୨୬ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଇସ୍କନ ବିରୋଧରେ ପୁନର୍ବାର ଅସନ୍ତୋଷ ପ୍ରକାଶ ପାଇଛି। ‘ଭଏସ ଅଫ କମନ ମ୍ୟାନ’ ପକ୍ଷରୁ ହେକ୍ଟର ମିଶ୍ର ଏକ ପ୍ରେସ ବିବୃତ୍ତି ଜାରି କରି କହିଛନ୍ତି ଯେ, ପ୍ରଭୁ Jagannath କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଓଡ଼ିଆ ଅସ୍ମିତାର ପ୍ରତୀକ। ଶତାବ୍ଦୀ ଧରି ଶ୍ରୀମନ୍ଦିରର ରୀତିନୀତି, ପରମ୍ପରା ଓ ରଥଯାତ୍ରା ଶାସ୍ତ୍ରୀୟ ବିଧି ଅନୁସାରେ ପାଳିତ ହୋଇଆସୁଛି।

ସେ କହିଛନ୍ତି ଯେ, ଏହି ପବିତ୍ର ପରମ୍ପରା ସହ କୌଣସି ପ୍ରକାର ଛେଡ଼ଛାଡ଼ କରିବା କୋଟି କୋଟି ଭକ୍ତଙ୍କ ଭାବନାକୁ ଆଘାତ ଦେଉଛି। ଇସ୍କନକୁ ସେ ଏକ ବିବାଦୀୟ ସଂଗଠନ ବୋଲି ଅଭିହିତ କରିଥିବା ସହ ଧର୍ମ ନାମରେ ପ୍ରଚାର ଓ ପ୍ରସାର ପାଇଁ ଅଦିନିଆ ରଥଯାତ୍ରା ଭଳି କାର୍ଯ୍ୟକ୍ରମ କରାଯାଉଥିବା ଅଭିଯୋଗ କରିଛନ୍ତି।

ହେକ୍ଟର ମିଶ୍ରଙ୍କ ମତାନୁସାରେ, ସ୍କନ୍ଦ ପୁରାଣ କିମ୍ବା ଜଗନ୍ନାଥ ସଂସ୍କୃତିରେ ଏପରି ପ୍ରଥାର କୌଣସି ଉଲ୍ଲେଖ ନାହିଁ। ଏହା ମହାପାପ ଓ ଶ୍ରୀଜଗନ୍ନାଥ ସଂସ୍କୃତିରେ ଗ୍ରହଣୀୟ ନୁହେଁ। ମହାପ୍ରଭୁଙ୍କ ନୀତି କେବଳ ଭକ୍ତିର ବିଷୟ ନୁହେଁ, ବରଂ ଓଡ଼ିଆ ଅସ୍ମିତା ଓ ସନାତନ ପରମ୍ପରାର ଆତ୍ମା ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ନୀରବତାକୁ ଦୁଃଖଦ ବୋଲି ଅଭିହିତ କରି ସେ କହିଛନ୍ତି ଯେ, ସରକାର ଚାହିଁଲେ ଏପରି କାର୍ଯ୍ୟ କରୁଥିବା ସଂଗଠନଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇପାରିବେ। କେବଳ ଚିଠି ଲେଖି ଦାୟିତ୍ୱ ସରିବ ନାହିଁ, ବରଂ ଆଇନଗତ ପଦକ୍ଷେପ ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସନାତନ ଧର୍ମ କେବଳ ଏକ ଧର୍ମ ନୁହେଁ, ଏକ ଜୀବନ ଦର୍ଶନ, ଯାହା ଆସ୍ଥା, ତ୍ୟାଗ ଓ ସଂସ୍କୃତିରେ ପରିପୂର୍ଣ୍ଣ। ଶେଷରେ ସମସ୍ତ ଗଣମାଧ୍ୟମ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply