କାକଟପୁର ( ତୁଷାର ଦୀକ୍ଷିତ ) (୦୮/୦୬) କାକଟପୁର ଅଞ୍ଚଳରେ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପୁରୀ ଜିଲ୍ଲା ଆପ ସଭାପତି ସଞ୍ଜୀବ କୁମାର ମହାନ୍ତି ଯୋଗଦେଇ ରାଜ୍ୟର ଶାସକ ଓ ବିରୋଧୀ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କେନ୍ଦ୍ରରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣ ଖୁସି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଓ ବିଜେଡିର ମିଳିତ ଗୋଟି ଚାଳନା ବା ‘ହାତଗୋଡ଼ ମିଳାମିଶା’କୁ ଆଗାମୀ ଦିନରେ ଦଳ ପକ୍ଷରୁ ପଦାରେ ପକାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଦିଲ୍ଲୀରୁ ମିଳିଥିବା ସ୍ପଷ୍ଟ ନିର୍ଦ୍ଦେଶ ଏବଂ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଓଡ଼ିଶାରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟି ସମସ୍ତ ସ୍ଥାନରେ ପ୍ରାର୍ଥୀ ପ୍ରଦାନ କରିବ। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଲୋକେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଏବଂ ରୋଜଗାର ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି। ଅଘୋଷିତ ବିଦ୍ୟୁତ କାଟ୍, ‘ବସୁଧା’ ଯୋଜନାରେ ପାନୀୟ ଜଳର ଅଭାବ ଏବଂ ନିଯୁକ୍ତି ନମିଳିବା କାରଣରୁ ସ୍ଥାନୀୟ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଏବଂ ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ପୀଠର ବିକାଶ ନାମରେ କେବଳ ରଙ୍ଗ ମାରିବା ବ୍ୟତୀତ କୌଣସି ପ୍ରକୃତ ଉନ୍ନତିମୂଳକ କାର୍ଯ୍ୟ ହେଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି।ଏହି ଅବସରରେ କାକଟପୁର ଅଞ୍ଚଳରେ ଦଳ ପକ୍ଷରୁ ଏକ ବ୍ୟାପକ ସଦସ୍ୟତା ଅଭିଯାନ ଆରମ୍ଭ କରାଯାଇଛି। ବିଗତ ଦିନରେ ଅନେକ ଲୋକ ଦଳରେ ସାମିଲ ହୋଇସାରିଥିବା ବେଳେ, ଆଗାମୀ ୧୦ ଦିନ ମଧ୍ୟରେ କାକଟପୁରରେ ବହୁ ସଂଖ୍ୟାରେ ନୂତନ ସଦସ୍ୟ ଯୋଡ଼ିହେବେ ବୋଲି ଦଳୀୟ କର୍ମକର୍ତ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ରବିନ୍ଦ୍ର ନାଥ ସାହୁ, ସମ୍ପାଦକ ସତ୍ୟଜିତ ମହାନ୍ତି,କୃଷକ ମୋର୍ଚ୍ଚା ସଭାପତି ଦେବ ପ୍ରଧାନ, କାକଟପୁର ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ମହିଳା ସଭାନେତ୍ରୀ ରମେଶ ରାଉତ, କୋଣାର୍କ ମ୍ୟୁନିସିପାଲିଟିର ସଭାପତି ବିଶ୍ବଜିତ ପରିଡ଼ା, କାକଟପୁର ପର୍ଯ୍ୟବେକ୍ଷକ ରମାକାନ୍ତ ସ୍ବାଇଁ ଙ୍କ ସମେତ ବହୁ ସ୍ଥାନୀୟ ନେତା ଓ କର୍ମୀ ଉପସ୍ଥିତ ରହି ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ।











