ସାକ୍ଷୀଗୋପାଳ: ୭/୬/୨୬ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସତ୍ୟବାଦୀ ଓ କଣାସ ବ୍ଲକର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଓ ଏ-୨ ସ୍ଥାନରେ ସଫଳତା ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ରବିବାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ମୋଟ ୧୪୭ ଜଣଙ୍କୁ ଏହି ଅବସରରେ ଅତିଥି ମାନେ ସମ୍ବର୍ଦ୍ଧିତ କରି ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ସତ୍ୟବାଦୀ ବିଧାୟକ ତଥା ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓମ୍ ପ୍ରକାଶ ମିଶ୍ର ଙ୍କ ଉଦ୍ୟମ ଏବଂ ନିଜ ବେତନରୁ ବ୍ୟୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ପୁରୀ ଲୋକସଭା ସଦସ୍ୟ ଡା. ସମ୍ବିତ ପାତ୍ର ଯୋଗଦେଇ ଏ- ୧ ଛାତ୍ରୀ ଛାତ୍ର ମାନଙ୍କୁ ପାର୍ଲିଆମେଣ୍ଟ ବୁଲାଇବାକୁ ନେବାକୁ କହିଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ କଣାସ ଓ ସତ୍ୟବାଦୀ ରେ ଦୁଇଟି ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କରାଯିବ ବୋଲି ବିଧାୟକ ଶ୍ରୀମିଶ୍ର କହିଥିଲେ। ସାରା ଓଡ଼ିଶାକୁ ଆଲୋକ ବର୍ତିକା ଦେଇଥିବା ପଞ୍ଚସଖା ଙ୍କ ପୁଣ୍ୟ ମାଟିର ପିଲାମାନେ ଓଡ଼ିଶା ବିକାଶରେ ପ୍ରମୁଖ

ଭୂମିକା ଗ୍ରହଣ କରନ୍ତୁ ଏହି ଲକ୍ଷ୍ୟ ନେଇ ଅବିଭାବକ, ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ସାମିଲ ହେବାକୁ ବିଧାୟକ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପୁରୀ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଏକ ନମ୍ବର ହେବାପାଇଁ ପ୍ରଶାସନର ସମସ୍ତ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ଓଡିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଶୁଦ୍ଧ ଓଡିଆ ଭାଷା କହିବା ଓ ଲେଖିବା ପାଇଁ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ପାଢୀ, ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି ଓ ଆଲୁମିନି କମିଟି ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଅତିଥି ମାନେ ମେଧାବୀ ପିଲାମାନଙ୍କୁ ସାଇକେଲ, ସ୍କୁଲ ବ୍ୟାଗ, ଡାଏରୀ, ସ୍ମାରକ ଫଳକ, ମେଡାଲ ଆଦି ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଓ ଗାଇଡ ଶିକ୍ଷକ ମନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନ ଶିକ୍ଷକ ଶଙ୍କର ସୁବୁଦ୍ଧି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।











