Home / ମୁଖ୍ୟ ଖବର / ରଥଯାତ୍ରା-୨୦୨୬ ପୂର୍ବରୁ ପୁରୀ ପୋଲିସ ପକ୍ଷରୁ ଆଚରଣଗତ ପ୍ରଶିକ୍ଷଣ କର୍ମଶାଳାର ଦ୍ୱିତୀୟ ଦିନ ଅନୁଷ୍ଠିତ

ରଥଯାତ୍ରା-୨୦୨୬ ପୂର୍ବରୁ ପୁରୀ ପୋଲିସ ପକ୍ଷରୁ ଆଚରଣଗତ ପ୍ରଶିକ୍ଷଣ କର୍ମଶାଳାର ଦ୍ୱିତୀୟ ଦିନ ଅନୁଷ୍ଠିତ

ପୁରୀ : ୧୨/୬/୨୬ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଆଚରଣଗତ ପ୍ରଶିକ୍ଷଣ କର୍ମଶାଳାର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ ଥିଲା ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସାଧାରଣ ଏବଂ ଶ୍ରଦ୍ଧାଳୁମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ଓ ସେବାଭାବପୂର୍ଣ୍ଣ ବ୍ୟବହାର ସହିତ ବୃହତ୍ ଜନସମାଗମର ସୁଚାରୁ ପରିଚାଳନା ସମ୍ପର୍କରେ ପ୍ରଶିକ୍ଷିତ କରିବା। ଏହି କର୍ମଶାଳା ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ଶ୍ରୀ ତପସ ରଞ୍ଜନ ଦାସ, ଏସ୍‌.ଏସ୍‌.ଏମ୍‌.ଏସ୍‌.ବି.ର ଡେପୁଟି କମାଣ୍ଡାଣ୍ଟ ଶ୍ରୀ କୌଶିକ ନାୟକ, ଶ୍ରୀ ଦୀପକ ଗଡ଼ନାୟକଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଏସ୍‌.ଏସ୍‌.ଏମ୍‌.ଏସ୍‌.ବି. ଅଧିକାରୀ ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଶାଳାରେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଭୁବନେଶ୍ୱରର ବିଶିଷ୍ଟ ବିଶେଷଜ୍ଞ ଡ଼ଃ ଅମ୍ରିତ ପଟ୍ଟଯୋଶୀ ଏବଂ ଡ଼ଃ ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇଥିଲେ। ସେମାନେ ଜନଗହଳିର ମନୋବିଜ୍ଞାନ, ଚାପପୂର୍ଣ୍ଣ ପରିସ୍ଥିତିରେ ପୋଲିସର ଭୂମିକା, ଜନସାଧାରଣଙ୍କ ସହ ପ୍ରଭାବଶାଳୀ ଯୋଗାଯୋଗ, ସକାରାତ୍ମକ ବ୍ୟବହାର ଏବଂ ମାନସିକ ସନ୍ତୁଳନ ବଜାୟ ରଖିବା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ରଥଯାତ୍ରା ଭଳି ବୃହତ୍ ଧାର୍ମିକ ସମାବେଶରେ ଧୈର୍ଯ୍ୟ, ସହନଶୀଳତା ଏବଂ ଉତ୍ତମ ଆଚରଣ ମାଧ୍ୟମରେ କିପରି ଜନଗହଳିକୁ ସଫଳତାର ସହ ପରିଚାଳନା କରାଯାଇପାରିବ, ସେ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ସଭାକୁ ସମ୍ବୋଧିତ କରି ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂ କହିଥିଲେ ଯେ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି ଏବଂ ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ଆଚରଣ ହିଁ ପୁରୀ ପୋଲିସର ପ୍ରକୃତ ପରିଚୟକୁ ପ୍ରତିଫଳିତ କରିଥାଏ। ତେଣୁ ପ୍ରତ୍ୟେକ କର୍ମଚାରୀଙ୍କୁ ଜନବନ୍ଧୁ ପୋଲିସିଂର ମନୋଭାବ ନେଇ କାର୍ଯ୍ୟ କରିବା ସହ ଶ୍ରଦ୍ଧାଳୁମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କୁ ଆବଶ୍ୟକ ସହାୟତା ଓ ସମ୍ମାନଜନକ ବ୍ୟବହାର ପ୍ରଦାନ କରିବାକୁ ଆହ୍ୱାନ ଦେଇଥିଲେ। କର୍ମଶାଳାରେ ଜନଗହଳି ନିୟନ୍ତ୍ରଣ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ଭିଡ଼ ମଧ୍ୟରେ ହଜିଯାଇଥିବା ବ୍ୟକ୍ତିଙ୍କୁ ସହାୟତା, ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରତି ସମ୍ବେଦନଶୀଳ ବ୍ୟବହାର ଏବଂ ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରଖିବା ସମ୍ପର୍କରେ ବିଭିନ୍ନ ବ୍ୟବହାରିକ ପରାମର୍ଶ ପ୍ରଦାନ କରାଯାଇଥିଲା।
ରଥଯାତ୍ରା ଭଳି ବିଶାଳ ଧାର୍ମିକ ଉତ୍ସବରେ ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭଲ ଆଚରଣ ଓ ମାନବିକ ଦୃଷ୍ଟିଭଙ୍ଗୀ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ। ଏହି କର୍ମଶାଳାରେ ପୁରୀ ପୋଲିସ ଏବଂ ଏସ୍‌.ଏସ୍‌.ଏମ୍‌.ଏସ୍‌.ବି.ର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ସମସ୍ତେ ରଥଯାତ୍ରା ସମୟରେ ଉତ୍ତମ ଆଚରଣ, ଦକ୍ଷ ଜନଗହଳି ପରିଚାଳନା ଏବଂ ଭକ୍ତମାନଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply