Home / ମୁଖ୍ୟ ଖବର / ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳରେ ବକୁଳ ବୃକ୍ଷ ଚିହ୍ନଟ

ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳରେ ବକୁଳ ବୃକ୍ଷ ଚିହ୍ନଟ

ସତ୍ୟବାଦୀ, ଜୁନ ୧୫/୬/୨୬ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେନାପଟା ଏବଂ ବାହୁଟ ସେବା ନିମନ୍ତେ ଚାଲିଆସୁଥିବା ପରମ୍ପରା ଅନୁଯାୟୀ ସାକ୍ଷୀଗୋପାଳ ଅଞ୍ଚଳରେ ଏକ ବକୁଳ ବୃକ୍ଷ ଚୟନ କରାଯାଇଛି। ନିର୍ଜଳା ଏକାଦଶୀ ଦିନ ବିଧିବଦ୍ଧ ଭାବେ ବୃକ୍ଷଟିକୁ ବରଣ କରାଯିବା ପରେ କଟାଯିବ।

ଶ୍ରୀମନ୍ଦିରର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ରନାଥ ଦାସ, ରଥ ନିର୍ମାଣ ବରିଷ୍ଠ ତତ୍ତ୍ୱାବଧାରକ ଚିତ୍ତରଞ୍ଜନ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ମହାରଣା ସେବାୟତ ଦେବଦତ୍ତ ମହାରଣା ପ୍ରମୁଖ ସାକ୍ଷୀଗୋପାଳ ଅଞ୍ଚଳର ବିଭିନ୍ନ ବୃକ୍ଷ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କୁକୁରମୁହିଁ ନିକଟରେ ଥିବା ବିଶ୍ୱଜିତ ରଥଙ୍କ ତୋଟାରେ ଅବସ୍ଥିତ ବକୁଳ ବୃକ୍ଷକୁ ଏହି ସେବା ପାଇଁ ମନୋନୀତ କରାଯାଇଥିଲା।

ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ପରିଚାଳନା କମିଟିର ସଦସ୍ୟ ବାଳକୃଷ୍ଣ ମହାପାତ୍ର ଓ ଲୋକନାଥ ବାରିକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତି, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ସଂଗଠନ ସମ୍ପାଦକ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ସେବାୟତ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପରମ୍ପରା ଅନୁସାରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ସମୟରେ ବ୍ୟବହୃତ ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ସେବା ପାଇଁ ସାକ୍ଷୀଗୋପାଳ ବକୁଳବନର ଅଧିଷ୍ଠାତା ଠାକୁର ଅଜା ଶ୍ରୀସିଦ୍ଧ ବଳରାମଙ୍କ ଆଶୀର୍ବାଦରେ ବକୁଳ କାଠ ଶ୍ରୀକ୍ଷେତ୍ରକୁ ପଠାଯାଇଥାଏ। ଏହି ପୁରାତନ ପରମ୍ପରା ଆଜି ମଧ୍ୟ ଅବିଚ୍ଛିନ୍ନ ଭାବେ ପାଳିତ ହୋଇଆସୁଛି ବୋଲି ଭୋଇ ସର୍ଦ୍ଦାର ସେବକ ରବି ଭୋଇ ସୂଚନା ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply