Home / ମୁଖ୍ୟ ଖବର / ପୁରୀ ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ ପୁରୀ ପୋଲିସ ଦ୍ୱାରା ଆୟୋଜିତ

ପୁରୀ ସମୁଦ୍ରକୂଳରେ ପ୍ରଯ୍ୟଟକଙ୍କୁ ଲାଇଫଗାର୍ଡମାନଙ୍କ ଦ୍ୱାରା ସୁରକ୍ଷା ଓ ସେବା ସମ୍ପର୍କିତ ବ୍ରିଫିଂ କାର୍ଯ୍ୟକ୍ରମ ପୁରୀ ପୋଲିସ ଦ୍ୱାରା ଆୟୋଜିତ

ପୁରୀ: ୧୬/୬/୨୬ – ଆଜି ପୁରୀ ସମୁଦ୍ରକୂଳରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ ଏବଂ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ସମୁଦ୍ରକୂଳ ଥାନା ଏବଂ ବଳିଆପଣ୍ଡା ଥାନା ପକ୍ଷରୁ କାର୍ଯ୍ୟରତ ଲାଇଫଗାର୍ଡମାନଙ୍କ ପାଇଁ ଏକ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପୁରୀ ସମୁଦ୍ରକୂଳକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଆସୁଥିବା ବେଳେ ସେମାନଙ୍କ ଜୀବନର ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବ୍ରିଫିଂ କାର୍ଯ୍ୟକ୍ରମରେ ସିଟି ଡିଏସ୍ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସେ ଉପସ୍ଥିତ ଲାଇଫଗାର୍ଡମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ପୁରୀ ସମୁଦ୍ରକୂଳ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ସୁରକ୍ଷା ନିଶ୍ଚିତ କରିବା ଆମ ସମସ୍ତଙ୍କର ଏକ ଗୁରୁଦାୟିତ୍ୱ। ଏହି ଦାୟିତ୍ୱ ପାଳନରେ ଲାଇଫଗାର୍ଡମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଓ ଗୁରୁତ୍ୱପୂର୍ଣ୍ଣ। ସେ ଗତ କିଛି ମାସ ମଧ୍ୟରେ ଲାଇଫଗାର୍ଡମାନେ ନିଜର ତତ୍ପରତା, ସାହସିକତା ଏବଂ ମାନବିକତାର ପରିଚୟ ଦେଇ ଅନେକ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରିଥିବା ଘଟଣାରେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ସମୁଦ୍ରର ଲହରୀ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ସେବା ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ସହିତ ଦାୟିତ୍ୱ ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ ପ୍ରତ୍ୟେକ ଲାଇଫଗାର୍ଡ ନିଜ ନିର୍ଦ୍ଧାରିତ କାର୍ଯ୍ୟସ୍ଥଳରେ ସମ୍ପୂର୍ଣ୍ଣ ସତର୍କତାର ସହିତ ନିୟୋଜିତ ରହିବା, ସମୁଦ୍ରର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ଏବଂ ଆବଶ୍ୟକତା ପଡ଼ିଲେ ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ର ସ୍ନାନ କରିବା ପାଇଁ ସଚେତନ କରିବା, ଲାଲ୍ ପତାକା ଲାଗିଥିବା ଅଞ୍ଚଳରେ ସ୍ନାନ ନ କରିବାକୁ ପରାମର୍ଶ ଦେବା, ଛୋଟ ପିଲା ଏବଂ ବୃଦ୍ଧବ୍ୟକ୍ତିଙ୍କ ଉପରେ ବିଶେଷ ନଜର ରଖିବା, ମଦ୍ୟପ ଅବସ୍ଥାରେ ସମୁଦ୍ରକୁ ନ ଯିବା ପାଇଁ ସଚେତନତା ସୃଷ୍ଟି କରିବା ଓ ସମୁଦ୍ରକୂଳରେ ଅନୁଶାସନ ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସେହିପରି ଯେକୌଣସି ଆପଦକାଳୀନ ପରିସ୍ଥିତିରେ ପୋଲିସ, ଲାଇଫଗାର୍ଡ, ହୋମଗାର୍ଡ ଏବଂ ଅନ୍ୟାନ୍ୟ ସହଯୋଗୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଶୀଘ୍ର ପ୍ରତିକ୍ରିୟା ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ଉଦ୍ଧାର ସାମଗ୍ରୀର ନିୟମିତ ଯାଞ୍ଚ ବ୍ୟବସ୍ଥାକୁ ସକ୍ରିୟ ରଖିବା ଏବଂ ସମସ୍ତ ଜରୁରୀ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉପସ୍ଥିତ ଅଧିକାରୀମାନେ ଲାଇଫଗାର୍ଡମାନଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ସର୍ବଦା ନିଷ୍ଠାବାନ ରହିବା, ଜନସାଧାରଣଙ୍କ ସହିତ ସୌଜନ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା ଏବଂ ପର୍ଯ୍ୟଟକମାନଙ୍କ ମନରେ ପୁରୀ ପୋଲିସ ପ୍ରତି ଆସ୍ଥା ଓ ବିଶ୍ୱାସ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ହୋମଗାର୍ଡ ଏସି ଶ୍ରୀ ବିଜୟରତ୍ନମ୍, ସମୁଦ୍ରକୂଳ ଥାନା ଆଇଆଇସି ଶ୍ରୀ ମାନସ ଚକ୍ର ଏବଂ ବଳିଆପଣ୍ଡା ଥାନାର ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଏବଂ ବହୁ ସଂଖ୍ୟକ ଲାଇଫଗାର୍ଡ ଉପସ୍ଥିତ ରହିଥିଲେ। ପୁରୀ ପୋଲିସ ପକ୍ଷରୁ ପୁନର୍ବାର ସମସ୍ତ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଉଛି ଯେ, ସମୁଦ୍ର ସ୍ନାନ ସମୟରେ ଲାଇଫଗାର୍ଡମାନଙ୍କ ପରାମର୍ଶକୁ ପାଳନ କରନ୍ତୁ, ସତର୍କତା ଅବଲମ୍ବନ କରନ୍ତୁ ଏବଂ କୌଣସି ଆପଦକାଳୀନ ପରିସ୍ଥିତି ଦେଖାଦେଲେ ତୁରନ୍ତ ନିକଟସ୍ଥ ଲାଇଫଗାର୍ଡ କିମ୍ବା ପୋଲିସଙ୍କ ସହିତ ଯୋଗାଯୋଗ କରନ୍ତୁ।ପର୍ଯ୍ୟଟକଙ୍କ ସୁରକ୍ଷା ହିଁ ଆମର ପ୍ରାଥମିକତା ସେବା, ସତର୍କତା ଓ ତତ୍ପରତା ସହିତ ପୁରୀ ପୋଲିସ ସଦା ପ୍ରତିବଦ୍ଧ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply