Home / ମୁଖ୍ୟ ଖବର / ସୁରକ୍ଷା ଓ ଶୃଙ୍ଖଳା ପାଇଁ ପୁରୀ ପୋଲିସର ସାହି ସମନ୍ୱୟ ବୈଠକ ଅନୁଷ୍ଠିତ

ସୁରକ୍ଷା ଓ ଶୃଙ୍ଖଳା ପାଇଁ ପୁରୀ ପୋଲିସର ସାହି ସମନ୍ୱୟ ବୈଠକ ଅନୁଷ୍ଠିତ

ପୁରୀ, ୫ ଜୁଲାଇ (ନିଜସ୍ୱ ପ୍ରତିନିଧି): ଆସନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା (ରଥଯାତ୍ରା-୨୦୨୬)କୁ ଭକ୍ତମାନଙ୍କ ପାଇଁ ସୁରକ୍ଷିତ, ଶୃଙ୍ଖଳିତ ତଥା ସୁଚାରୁ ରୂପେ ସମ୍ପନ୍ନ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ସହରର ବିଭିନ୍ନ ସାହିର ମୁରବି ଓ ସେବାୟତମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରମୁଖ ସାହି ଯଥା- ଧାନକୁଟି ସାହି, ବାଲିସାହି, ହରଚଣ୍ଡୀ ସାହି ଓ ଗୋଡ଼ବାଡ଼ ସାହିର ମୁରବି, ବହୁ ସେବାୟତ, ସ୍ଥାନୀୟ ଜନପ୍ରତିନିଧି ଏବଂ ସମ୍ମାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସର, ବଡ଼ଦାଣ୍ଡ ଏବଂ ସମଗ୍ର ପୁରୀ ସହରରେ ଭିଡ଼ ନିୟନ୍ତ୍ରଣ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏଥିସହ ଶୃଙ୍ଖଳିତ ଦର୍ଶନ, ଯାତାୟାତ ଓ ଟ୍ରାଫିକ ପରିଚାଳନା, ସୁରକ୍ଷା ବ୍ୟବସ୍ଥା ଏବଂ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା।

ବୈଠକରେ ଉଦ୍‌ବୋଧନ ଦେଇ ଏସ୍‌ପି ଶ୍ରୀ ସିଂ କହିଥିଲେ ଯେ, “ରଥଯାତ୍ରା କେବଳ ପୁରୀର ନୁହେଁ, ଏହା ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ମହାପର୍ବ। ଏହି ବିଶାଳ ଆୟୋଜନକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ପ୍ରଶାସନ, ସେବାୟତ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସମ୍ମିଳିତ ପ୍ରୟାସ ନିତାନ୍ତ ଆବଶ୍ୟକ।” ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଏହାକୁ ସଫଳ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଅନ୍ୟପକ୍ଷରେ, ଉପସ୍ଥିତ ଥିବା ସାହି ମୁରବି ଓ ସେବାୟତମାନେ ପୁରୀ ପୋଲିସର ଏହି ଆଭିମୁଖ୍ୟକୁ ସ୍ୱାଗତ କରିଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଦିଗରେ ପୋଲିସ ଓ ପ୍ରଶାସନକୁ ସେମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଉକ୍ତ ସମନ୍ୱୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସ୍‌ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ ଥାନା ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାସ ଏବଂ ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଦାସଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଏକ ସକାରାତ୍ମକ ମନୋଭାବ ତଥା ପାରସ୍ପରିକ ସହଯୋଗର ସନ୍ଦେଶ ସହ ବୈଠକ ଶେଷ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply