ପୁରୀ, ଜୁଲାଇ ୧୫: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସେବାରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ କେବଳ ଆବଶ୍ୟକ ସହାୟତା ନୁହେଁ, ବରଂ ଓଡ଼ିଶାର ଆତିଥ୍ୟ, ସଂସ୍କୃତି ଓ ମାନବିକତାର ପରିଚୟ ଦେଇ ସେବା ପ୍ରଦାନ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପତି ଆହ୍ୱାନ କରିଛନ୍ତି।
ବୁଧବାର ପୁରୀ ଟାଉନ୍ ହଲ୍ଠାରେ ସେଣ୍ଟ ଜନ୍ ଆମ୍ବୁଲାନ୍ସ, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଏବଂ ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି ପକ୍ଷରୁ ଆୟୋଜିତ ସେବା ଶିବିରର ଉଦ୍ଘାଟନ କରି ସେ ଏହା କହିଥିଲେ।
ରାଜ୍ୟପାଳ କହିଥିଲେ ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ; ଏହା ଆସ୍ଥା, ଭକ୍ତି, ସମାନତା ଓ ବିଶ୍ୱଭ୍ରାତୃତ୍ୱର ପ୍ରତୀକ। ପ୍ରତିବର୍ଷ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିବାବେଳେ ଏଭଳି ବିଶାଳ ଜନସମାଗମରେ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।

ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ୩୬ତମ ଜାତୀୟ ସେବା ଶିବିର ଆୟୋଜନ ପାଇଁ ରାଜ୍ୟପାଳ ସଂସ୍ଥାକୁ ଅଭିନନ୍ଦନ ଜଣାଇବା ସହ ରଥଯାତ୍ରା ସମୟରେ ପ୍ରାଥମିକ ଚିକିତ୍ସା, ଜରୁରୀ ସେବା ଓ ମାନବିକ ସହାୟତା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ।
ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜିଲ୍ଲା ପ୍ରଶାସନକୁ ଭିଡ଼ ନିୟନ୍ତ୍ରଣ, ପ୍ରାଥମିକ ଚିକିତ୍ସା ଓ ଅନ୍ୟାନ୍ୟ ସେବାରେ ସହଯୋଗ କରିଆସୁଥିବାରୁ ସେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ। ଜମ୍ମୁ-କଶ୍ମୀର ସମେତ ବିଭିନ୍ନ ରାଜ୍ୟରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ଅଂଶଗ୍ରହଣ ଜାତୀୟ ଏକତାର ଉଜ୍ଜ୍ୱଳ ଉଦାହରଣ ବୋଲି ସେ କହିଥିଲେ।
ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ସେବା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ ଏବଂ ବୃଦ୍ଧ ଓ ଅସହାୟ ଶ୍ରଦ୍ଧାଳୁଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ସେବାକୁ ମଧ୍ୟ ରାଜ୍ୟପାଳ ଉଚ୍ଚ ପ୍ରଶଂସା କରିଥିଲେ।
ତିନୋଟି ସଂସ୍ଥାର ମିଳିତ ସେବାଭାବକୁ ନିଃସ୍ୱାର୍ଥ ମାନବସେବାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ବୋଲି ଅଭିହିତ କରି ରାଜ୍ୟପାଳ ସ୍ୱେଚ୍ଛାସେବୀମାନଙ୍କୁ ଜିଲ୍ଲା ପ୍ରଶାସନ, ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କର ନିଷ୍ଠା, ଶୃଙ୍ଖଳା ଓ ସହାନୁଭୂତି ରଥଯାତ୍ରାକୁ ସୁରକ୍ଷିତ, ସୁସଂଗଠିତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧାଜନକ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଦ୍ମଶ୍ରୀ ସମ୍ମାନିତା ସବରମତୀ, ଇଣ୍ଡିଆନ୍ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସମ୍ପାଦକ ଗଣେଶ ଚନ୍ଦ୍ର ପାତ୍ର, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ରାଜ୍ୟ ମୁଖ୍ୟ କମିଶନର କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।











