Home / ମୁଖ୍ୟ ଖବର / ରାମ ମନ୍ଦିର ଚାନ୍ଦାଚୋରି – ଆସ୍ଥା ନାମରେ ରାଜନୀତି, ଭେଟି ନାମରେ ଲୁଟ ।

ରାମ ମନ୍ଦିର ଚାନ୍ଦାଚୋରି – ଆସ୍ଥା ନାମରେ ରାଜନୀତି, ଭେଟି ନାମରେ ଲୁଟ ।

ନୟାଗଡ଼,ତା-୧୫.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ଦାନ ଓ ଭେଟି ଅର୍ଥର ଦୁର୍ବ୍ୟବହାର ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗ, ଟ୍ରଷ୍ଟର ଶୀର୍ଷ କର୍ମକର୍ତ୍ତାଙ୍କ ଇସ୍ତଫା ଏବଂ ଚାଲୁଥିବା ତଦନ୍ତକୁ ନେଇ ଜିଲ୍ଲା କଂଗ୍ରେସ କମିଟି, ନୟାଗଡ଼ ଗଭୀର ଚିନ୍ତା ପ୍ରକାଶ କରିଛି। ଭଗବାନ ଶ୍ରୀରାମ କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ନୈତିକ ଚେତନାର ପ୍ରତୀକ। ତାଙ୍କ ନାମରେ ସଂଗ୍ରହ ହୋଇଥିବା ଦାନ ଏବଂ ଭେଟିକୁ ନେଇ ଯେଉଁ ପ୍ରଶ୍ନ ସୃଷ୍ଟି ହୋଇଛି, ତାହାର ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ ତଦନ୍ତ ଅତ୍ୟନ୍ତ ଆବଶ୍ୟକ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଭାରତବର୍ଷର ପ୍ରତ୍ୟେକ ନାଗରିକ ଏହି ଚାନ୍ଦାଚୋରି ଘଟଣାର ସତ୍ୟାସତ୍ୟ ଜାଣିବାର ଅଧିକାର ରହିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l

ଏହି ସମଗ୍ର ଘଟଣାକ୍ରମ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ସ୍ୱାଧୀନ ନ୍ୟାୟିକ ତଦନ୍ତ କରାଯାଉ, ସମସ୍ତ ଦାନ ଓ ବ୍ୟୟର ଫୋରେନସିକ ଅଡିଟ୍ କରାଯାଉ ଏବଂ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଦଳ, ପଦ କିମ୍ବା ପ୍ରଭାବ ନ ଦେଖି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସ୍ଥାର ନାମରେ ସଂଗ୍ରହ କରାଯାଇଥିବା ଜନସାଧାରଣଙ୍କ ଅର୍ଥର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ୱ ବୋଲି ଡିସିସି ସଭାପତି ଶ୍ରୀ ଦାଶ କହିଛନ୍ତି l
ପ୍ରଭୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଗଠନ ଏବଂ ଏହାର ପରିଚାଳନାରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ଭୂମିକା ଥିବାରୁ ଏହି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୈତିକ ଓ ରାଜନୈତିକ ଭାବେ ଉତ୍ତରଦାୟୀ । ଦେଶର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ଭାବାବେଗକୁ ନେଇ ବିଜେପି ଯେଉଁଭଳି ରାଜନୀତି କରୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସମଗ୍ର ଘଟଣାକ୍ରମ ଉପରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ନୀରବତା ଦେଶବାସୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ଏବଂ ଏହାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ଦେବା ସହ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତକୁ ସୁନିଶ୍ଚିତ କରିବା ଉଚିତ। ଏହି ସମ୍ମିଳନୀରେ ଡିସିସି ବରିଷ୍ଠ ଉପସଭାପତି ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ଡିସିସି ମନରେଗା ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାନ୍ତ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ଡିସିସି ସୋସିଆଲ ମିଡ଼ିଆ ସଂଯୋଜକ ଅରବିନ୍ଦ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply