ପୁରୀ, ୧୭ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ତାଳବଣିଆ ଏବଂ ମାଳତୀପାଟପୁରଠାରେ ବିଭିନ୍ନ ସେବାମୂଳକ ବ୍ୟବସ୍ଥା କରାଯାଇଛି। ଏହି ସେବାଗୁଡ଼ିକର ଶୁଭାରମ୍ଭ ମାନ୍ୟବର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କରିଛନ୍ତି।
ତାଳବଣିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅସ୍ଥାୟୀ ବିଶ୍ରାମ ସ୍ଥଳୀ, ସୂଚନା କେନ୍ଦ୍ର, ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ସେବାର ଲୋକାର୍ପଣ କରିଥିଲେ। ଏହି ଅବସରରେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍. ବି. ଏସ୍. ରାଜପୁତ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରଥଯାତ୍ରା ଅବସରରେ ପରିବହନ ବିଭାଗ ପକ୍ଷରୁ ପରିଚାଳିତ ନିଶୁଳ୍କ ଅଟୋ ସେବା ମାଧ୍ୟମରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯାତାୟାତ ସୁବିଧା ପାଇ ଉପକୃତ ହୋଇଥିବା ସୂଚନା ମିଳିଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସୁଗମ ଯାତାୟାତ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ସମସ୍ତ ଶ୍ରଦ୍ଧାଳୁ ନିରାପଦ ଓ ନିର୍ବିଘ୍ନ ଭାବେ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ତାଳବଣିଆ ସହିତ ମାଳତୀପାଟପୁରଠାରେ ମଧ୍ୟ ବିଶ୍ରାମ ସ୍ଥଳୀ, ସୂଚନା କେନ୍ଦ୍ର, ସହାୟତା କେନ୍ଦ୍ର ଓ ଅନ୍ୟାନ୍ୟ ଶ୍ରଦ୍ଧାଳୁ ସେବା ସଫଳତାର ସହ କାର୍ଯ୍ୟକ୍ଷମ ରହିଛି। ଏଥିସହ ‘ଅନ୍ନ ହିଁ ବ୍ରହ୍ମ’ ବାର୍ତ୍ତାକୁ ସାକାର କରି ତାଳବଣିଆଠାରେ ନିଶୁଳ୍କ ଅନ୍ନସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି।
ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ ଆବଶ୍ୟକୀୟ ସୂଚନା, ସହାୟତା ଓ ସୁଗମ ପରିବହନ ସେବା ଯୋଗାଇବା ପାଇଁ ପରିବହନ ବିଭାଗ ନିରନ୍ତର କାର୍ଯ୍ୟ କରୁଥିବା ବେଳେ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ମଧ୍ୟ ଏହି ସମସ୍ତ ସେବା ଅବ୍ୟାହତ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।











