ପୁରୀ, ୧୭ ଜୁଲାଇ: ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି। ଏହି ଅବସରରେ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା କ୍ରମାଗତ ୧୦୮ତମ ଦିନରେ ପହଞ୍ଚିଛି।
ସୂଚନାନୁସାରେ, ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚୁଥିବା ଏହି ପଦଯାତ୍ରା ଆଜି ମହାପ୍ରଭୁଙ୍କ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ ସିଧାସଳଖ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।
ପଦଯାତ୍ରାରେ ସାମିଲ ଭକ୍ତମାନେ କହିଛନ୍ତି ଯେ, ଏହା କୌଣସି ପ୍ରତିବାଦ ନୁହେଁ, ବରଂ ମହାପ୍ରଭୁଙ୍କ ଦ୍ୱାରରେ ସମସ୍ତ ଭକ୍ତଙ୍କ ପାଇଁ ସମାନ ଅଧିକାର, ସମାନ ସମ୍ମାନ ଓ ସମାନ ଦର୍ଶନ ସୁଯୋଗର ନୀରବ ପ୍ରାର୍ଥନା। ସେମାନଙ୍କ ମତରେ, ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ହେଉଛି ସମତା, ସାର୍ବଜନୀନତା ଓ ମାନବିକତା।

ଆୟୋଜକମାନଙ୍କ କହିବାନୁସାରେ, ୧୦୮ ଦିନର ଏହି ନୀରବ ପଦଯାତ୍ରା ଭକ୍ତି, ଆସ୍ଥା ଓ ସମାନ ଅଧିକାରର ବାର୍ତ୍ତା ବହନ କରୁଛି। ମହାପ୍ରଭୁଙ୍କ ଗୁଣ୍ଡିଚା ପ୍ରବେଶ ଦିନରେ ତାଙ୍କ ସାନ୍ନିଧ୍ୟରେ ପ୍ରାର୍ଥନା ସମର୍ପଣ କରିବା ଭକ୍ତମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ଅନୁଭୂତି ଥିଲା।
ଆଜିର ପଦଯାତ୍ରାରେ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ସରସ୍ୱତୀ ପାତ୍ର, ମମତା ସ୍ୱାଇଁ, ମମତା ପଣ୍ଡା, ଛବିରାଣୀ ମହାରଣା, ନିହାରିକା ତ୍ରିପାଠୀ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଯାଦବାନନ୍ଦ ରାୟ, ପ୍ରଫୁଲ୍ଲ କୁମାର ସାହୁ, ସୁବାଷ ପଟ୍ଟନାୟକ, ଜଗନ୍ନାଥ ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ, ମାନସ ପଟ୍ଟନାୟକ ଏବଂ ଅଭିମନ୍ୟୁ ରାୟଗୁରୁଙ୍କ ସମେତ ଅନେକ ଭକ୍ତ ସାମିଲ ହୋଇଥିଲେ।
ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଚଳିତ ବର୍ଷର ନବଯୌବନ ଦର୍ଶନ ସମୟରେ ପୁରୀ ସହର ଓ ସଦରବାସୀଙ୍କ ଦର୍ଶନ ସୁଯୋଗ ପ୍ରଭାବିତ ହୋଇଥିବା ଏବଂ ରଥଯାତ୍ରା ସମୟରେ ଭିଡ଼ ପରିଚାଳନାକୁ ନେଇ ଉଠିଥିବା ପ୍ରଶ୍ନଗୁଡ଼ିକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଚାଲିଛି। ସେ କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଓ ଅହିଂସକ ପଦଯାତ୍ରା ଜାରି ରହିବ।
ପଦଯାତ୍ରାରେ ଉପସ୍ଥିତ ଅନେକ ଭକ୍ତ ମଧ୍ୟ ମହାପ୍ରଭୁଙ୍କ ଦ୍ୱାରରେ ସମସ୍ତଙ୍କ ପାଇଁ ସମାନ ଦର୍ଶନ ସୁବିଧା ସୁନିଶ୍ଚିତ କରିବା ସପକ୍ଷରେ ମତ ପ୍ରକାଶ କରିଥିଲେ।
ମହାପ୍ରଭୁଙ୍କ ଗୁଣ୍ଡିଚା ପ୍ରବେଶ ଦିନରେ ଆୟୋଜିତ ଏହି ୧୦୮ତମ ନୀରବ ପଦଯାତ୍ରା ଭକ୍ତି, ସମତା ଓ ଜଗନ୍ନାଥ ସଂସ୍କୃତିର ସାର୍ବଜନୀନ ବାର୍ତ୍ତାକୁ ନେଇ ଅନୁଷ୍ଠିତ ହୋଇଥିଲା।











