ସତ୍ୟବାଦୀ: ନିଟ୍ (ୟୁଜି) ୨୦୨୬ ପରୀକ୍ଷାରେ ସାଇ ସୋହମ ପ୍ରଧାନ ଅସାଧାରଣ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପ୍ରାୟ ୨୨.୭୯ ଲକ୍ଷ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବାବେଳେ, ପ୍ରକାଶିତ ଫଳାଫଳରେ ସେ ଅଲ୍ ଇଣ୍ଡିଆ ରାଙ୍କ ୫୨୬୫ ଅଧିକାର କରି ସଫଳତାର ସହିତ କୃତକାର୍ଯ୍ୟ ହୋଇ ସତ୍ୟବାଦୀ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।।
ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ବାସିନ୍ଦା ସାଇ ସୋହମ ପ୍ରଧାନ, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଓ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବିଶ୍ୱାଳଙ୍କ ଜ୍ୟେଷ୍ଠ ପୁତ୍ର। ଛାତ୍ରଜୀବନରୁ ସେ ବିଭିନ୍ନ ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ନିଜ ପ୍ରତିଭାର ପରିଚୟ ଦେଇଆସୁଛନ୍ତି।
୨୦୨୨ ମସିହାରେ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ସମୟରେ ଆସାମର ଗୌହାଟୀରେ ଆୟୋଜିତ ଜାତୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରି ସେ ସଫଳତା ଅର୍ଜନ କରିଥିଲେ।
୨୦୨୪ରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୯ ପ୍ରତିଶତ ନମ୍ବର ପାଇ ଓଡ଼ିଶାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ। ପରବର୍ତ୍ତୀ ବର୍ଷ ଜାପାନରେ ଆୟୋଜିତ ସାକୁରା ହାଇସ୍କୁଲ ସାଇନ୍ସ ପ୍ରୋଗ୍ରାମରେ ଯୋଗଦେଇ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ଗୌରବ ଆଣିଥିଲେ।
୨୦୨୬ ମସିହାରେ ନାଇଜର୍ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୮୨ତମ ସ୍ଥାନ ଅଧିକାର କରି ସେ ଆଉ ଏକ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିଲେ। ସେହି ବର୍ଷ ସିବିଏସଇ +୨ ବିଜ୍ଞାନ ପରୀକ୍ଷାରେ ୯୭.୮ ପ୍ରତିଶତ ନମ୍ବର ସହ ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଶୀର୍ଷ ସ୍ଥାନ ଅର୍ଜନ କରି ବିଦ୍ୟାଳୟର ସମ୍ମାନ ବଢ଼ାଇଥିଲେ।
ପ୍ରଥମ ପ୍ରୟାସରେ ନିଟ୍ (ୟୁଜି) ପରୀକ୍ଷାରେ ଏଭଳି ସଫଳତା ହାସଲ କରିଥିବାରୁ ସାଇ ସୋହମଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପରିବାରବର୍ଗ, ଶୁଭେଚ୍ଛୁ ଏବଂ ଅଞ୍ଚଳବାସୀ ହୃଦୟଙ୍ଗମ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ୱାସ୍ଥ୍ୟ, ସଫଳ କ୍ୟାରିୟର ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି।











