କାକଟପୁର, ତା. ୬/୮:( ତୁଷାର ଦୀକ୍ଷିତ ) କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ମନ୍ଦିରର ଚାଲିଥିବା ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଓ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା ପାଇଁ ଦେବୋତ୍ତର କମିଶନର ସତ୍ୟପ୍ରକାଶ ଷଡ଼ଙ୍ଗୀ ଗୁରୁବାର ମନ୍ଦିର ପରିଦର୍ଶନ କରିଥିଲେ। ସେ ମନ୍ଦିର ପରିସରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକ ବୁଲି ଦେଖିବା ସହ କାର୍ଯ୍ୟର ଗୁଣବତ୍ତା ଓ ଅଗ୍ରଗତିର ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ଭୁବନେଶ୍ୱରର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ମା’ ମଙ୍ଗଳା ମନ୍ଦିରର ସାମଗ୍ରିକ ଉନ୍ନୟନକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ମଙ୍ଗଳା ମନ୍ଦିର ସେବାୟତ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦେବୋତ୍ତର କମିଶନର କାକଟପୁର ଆସି କାର୍ଯ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ସେ ସମ୍ପୃକ୍ତ ଠିକାଦାରଙ୍କୁ ସମସ୍ତ ଉନ୍ନୟନ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚମାନରେ ସମ୍ପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସେହିପରି ମନ୍ଦିର ପରିସରରେ କୌଣସି ଅସାମାଜିକ କାର୍ଯ୍ୟକଳାପକୁ ପ୍ରଶୟ ନ ଦେବା ସହ ନିଶା କାରବାର ଭଳି ବେଆଇନ କାର୍ଯ୍ୟରୁ ସମସ୍ତ ସେବାୟତ ଓ ସମ୍ପୃକ୍ତ ବ୍ୟକ୍ତିମାନେ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକ ଓ ପରିଦର୍ଶନରେ ମଙ୍ଗଳା ମନ୍ଦିର ନିରୀକ୍ଷକ ମିତା ନାୟକ, ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର, କାକଟପୁର ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ ଓ ହିମାଂଶୁ ଭୂଷଣ ଦୀକ୍ଷିତ, ସେବାୟତ ନିଯୋଗ ସଭାପତି ମନୋରଞ୍ଜନ ପଣ୍ଡା, ଉପସଭାପତି କମଳ ଲୋଚନ ଦୀକ୍ଷିତଙ୍କ ସମେତ ଅଶୋକ କୁମାର ଦୀକ୍ଷିତ, ଅଞ୍ଜନ କୁମାର ଦୀକ୍ଷିତ, ସୂର୍ଯ୍ୟନାରାୟଣ ଦୀକ୍ଷିତ, ତାପସ କୁମାର ଦୀକ୍ଷିତ ଓ ବହୁ ସେବାୟତ ଉପସ୍ଥିତ ଥିଲେ। ଦେବୋତ୍ତର କମିଶନରଙ୍କ ଏହି ପରିଦର୍ଶନ ମା’ ମଙ୍ଗଳା ମନ୍ଦିରର ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ସହ ମନ୍ଦିରର ପରିଚାଳନା ଓ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ଆଲୋଚନା ହେଉଛି।
ଦେବୋତ୍ତର କମିଶନରଙ୍କ ମଙ୍ଗଳା ମନ୍ଦିର ପରିଦର୍ଶନ : ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା, ନିର୍ଦ୍ଧାରିତ ସମୟରେ କାମ ଶେଷ ପାଇଁ ନିର୍ଦ୍ଦେଶ











