ପୁରୀ । । ତା-୮.୮.୨୦୨୬; ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଶାଖା ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେ ତ୍ରିଦିବସୀୟ ଓଡ଼ିଶା ସାହିତ୍ୟ ମହୋତ୍ସବ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଠାରେ ଉଦ୍ଘାଟିତ ହୋଇଯାଇଛି । ରାଷ୍ଟ୍ର ନିର୍ମାଣ ସହିତ ବ୍ୟକ୍ତି ନିର୍ମାଣ ପାଇଁ ସାହିତ୍ୟ ଉପଯୋଗୀ ଭୂମିକା ନିର୍ବାହ କରିବା ସହିତ ମାନବ ସଭ୍ୟତାର ବିକାଶ ପାଇଁ ବିନିଯୋଗ ହେଉବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଉଚ୍ଚଶିକ୍ଷା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀମାନ୍ ସୂର୍ଯ୍ୟବଂଶୀ ସୂରଜ କାଗଜରୁ କ୍ଲାଉଡ଼କୁ ଓଡ଼ିଆ ଭାଷାକୁ ପହଂଚାଇ ପାରିଲେ ଏହାର ଭବିଷ୍ୟତ ସମୃଦ୍ଧ ଓ ସୁରକ୍ଷିତ ହୋଇପାରିବ ବୋଲି ମତ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ସାହିତ୍ୟର ବିନିଯୋଗ ମାଧ୍ୟମରେ ଭବିଷ୍ୟତ ରାଷ୍ଟ୍ର ନିର୍ମାଣ ପାଇଁ ଉପଯୋଗୀ କାର୍ଯ୍ୟ କରାଯାଇପାରିବ ବୋଲି କହିଥିଲେ । ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଦ୍ଧ ଲିଖନ ଉପରେ ଆଜିର ଯୁବପିଢ଼ି ଗୁରୁତ୍ୱ ଦେବା ସହିତ ଓଡ଼ିଆ ଭାଷାର ବିକାଶ ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ଦେଇଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରଯୁକ୍ତ ପବନପୁତ୍ର ବାଦଲ ଓଡ଼ିଆ ଭାଗବତର ପ୍ରଶଂସା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ଏହିପରି ସାହିତ୍ୟ ଉତ୍ସବ ମାଧ୍ୟମରେ ଯୁବ ଲେଖକମାନଙ୍କୁ ଉତ୍ସାହିତ କରାଯିିବ ବୋଲି କହିଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ଦିଲୀପ କୁମାର ସ୍ୱାଇଁ ସଂଚାଳନ କରିବା ସହ ଶ୍ରୀଯୁକ୍ତ ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ଚାରୋଟି ଶୀର୍ଷକରେ ବାରୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କବି ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଞ୍ଜ ଓ ଏକବିଂଶ ଶତାବ୍ଦୀର ସାହିତ୍ୟରେ ରାଷ୍ଟ୍ରବୋଧ ସମ୍ପର୍କରେ ପଚାଶଟି ପ୍ରବନ୍ଧ ପାଠକରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ କୈଳାସଚନ୍ଦ୍ର ଟୀକାୟତରାୟ, ହରପ୍ରସାଦ ମିଶ୍ର, ବୈଷବଚରଣ ମହାନ୍ତି, ପଣ୍ଡିତ ସନତ ସୁଜାତାନନ୍ଦ ଦାସ, ଧରଣୀଧର ନାଥ, ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, କଲ୍ୟାଣୀ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ରୀବନ୍ଦ୍ର ବିହାରୀ, ଡ. ଶତୃଘ୍ନ ପାଣିଗ୍ରାହୀ ଆଦି ଯୋଗ ଦେଇଥିଲେ । ଏହି ବୈଷୟିକ କାର୍ଯ୍ୟକ୍ରମକୁ ବିଶ୍ୱନାଥ ଶତପଥୀ, ଡ.ରଘୁନାଥ ଓଝା, ଡ. ନିରୋଦ କୁମାର ମନ୍ତ୍ରୀ, ଡ. ଅନୁପ ମାର୍ଥା, ଡ. ଶ୍ରୀଧର ବାରିକ, ଡ. କଲ୍ୟାଣୀ ନନ୍ଦୀ, ଡ. ପ୍ରଭାତ କୁମାର ସାହୁ ପ୍ରମୁଖ ସଂଚାଳନ କରିଥିଲେ । ଆଗାମୀ ଅଗଷ୍ଟ ୯ ତାରିଖରେ ବହୁରାଷ୍ଟ୍ରୀୟ କବିତା ପାଠୋତ୍ସବ ସହିତ ଫକୀରମୋହନ ଓ ଗୋଦାବରୀଶ ମହାପାତ୍ରଙ୍କ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହେବ ବୋଲି ଆୟୋଜକ ଜଣାଇଛନ୍ତି ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ସହଯୋଗରେଓଡ଼ିଶା ସାହିତ୍ୟ ମହୋତ୍ସବ, ପୁରୀରେ ଅନୁଷ୍ଠିତ ।











