Home / ମୁଖ୍ୟ ଖବର / କାଠଯୋଡ଼ି ବ୍ରିଜ୍–ତ୍ରିଶୂଳିଆ ବାଇପାସ୍‌ ରାସ୍ତାରେ ବୋଲବମ୍ ଭକ୍ତଙ୍କ ପାଇଁ ବିପଦ: ରକ୍ତାକ୍ତ ହେଉଛି ପାଦ, ନାହିଁ ତୁରନ୍ତ ଚିକିତ୍ସା ସୁବିଧା

କାଠଯୋଡ଼ି ବ୍ରିଜ୍–ତ୍ରିଶୂଳିଆ ବାଇପାସ୍‌ ରାସ୍ତାରେ ବୋଲବମ୍ ଭକ୍ତଙ୍କ ପାଇଁ ବିପଦ: ରକ୍ତାକ୍ତ ହେଉଛି ପାଦ, ନାହିଁ ତୁରନ୍ତ ଚିକିତ୍ସା ସୁବିଧା

କଟକ, ୧୭/୮: ଶ୍ରାବଣ ମାସରେ ବୋଲବମ୍ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଓ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଚାଲୁଥିବା ବେଳେ କଟକ କାଠଯୋଡ଼ି ବ୍ରିଜ୍‌ରୁ ତ୍ରିଶୂଳିଆ ବାଇପାସ୍‌ ରାସ୍ତାର ଅବ୍ୟବସ୍ଥା ଏବେ ଚିନ୍ତାର କାରଣ ପାଲଟିଛି।

ରାସ୍ତାରେ ପଡ଼ିଥିବା ଚିପ୍ସ, ମେଟାଲ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଯୋଗୁଁ ବୋଲବମ୍ ଭକ୍ତମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଭକ୍ତଙ୍କ ପାଦ ଓ ଆଙ୍ଗୁଠିରେ ଧାରୁଆ ମେଟାଲ ଓ ପଥର ବାଜି ଆହତ ହେବା ସହ ରକ୍ତାକ୍ତ ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଦୀର୍ଘ ଦୂରତା ପର୍ଯ୍ୟନ୍ତ ତୁରନ୍ତ ଚିକିତ୍ସା କିମ୍ବା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ସୁବିଧା ନଥିବା ଅଭିଯୋଗ ହେଉଛି।

ଅନ୍ୟପଟେ ସଡ଼କ ସୁରକ୍ଷା ନେଇ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାନର, ହୋର୍ଡିଂ ଓ ସଚେତନତା ଅଭିଯାନ ଜୋରଦାର ଭାବେ ଚାଲିଛି। ହେଲମେଟ୍ ଯାଞ୍ଚ ଓ ଜରିମାନା ଆଦାୟ ମଧ୍ୟ ନିୟମିତ ହେଉଛି। ତେବେ ସଡ଼କର ମୌଳିକ ସୁରକ୍ଷା ଓ ପଥଚାରୀଙ୍କ ସୁବିଧା ପ୍ରତି ସମାନ ଗୁରୁତ୍ୱ ଦିଆଯାଉଛି କି ନାହିଁ, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ବୋଲବମ୍ ଭକ୍ତଙ୍କ ସହ ସାଧାରଣ ପଥଚାରୀ, ବାଇକ୍ ଓ କାର୍‌ ଚାଳକମାନଙ୍କ ପାଇଁ ମଧ୍ୟ ଏହି ରାସ୍ତା ଏକ ବିପଦପୂର୍ଣ୍ଣ ମାର୍ଗରେ ପରିଣତ ହେଉଥିବା ଅଭିଯୋଗ ରହିଛି। ରାସ୍ତାରେ ଯେକୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ରହୁଥିବାରୁ ତୁରନ୍ତ ରାସ୍ତାରୁ ନିର୍ମାଣ ସାମଗ୍ରୀ ହଟାଇବା, ରାସ୍ତାକୁ ସମତଳ କରିବା ଏବଂ ଭକ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା କ୍ୟାମ୍ପ୍‌ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସଡ଼କ ସୁରକ୍ଷା କେବଳ ବ୍ୟାନର, ହୋର୍ଡିଂ କିମ୍ବା ଯାଞ୍ଚରେ ସୀମିତ ନରହି ଘଟଣାସ୍ଥଳରେ ପ୍ରକୃତ ସୁରକ୍ଷା ବ୍ୟବସ୍ଥା କେବେ ସୁଦୃଢ଼ ହେବ, ତାହା ଏବେ ବଡ଼ ପ୍ରଶ୍ନ। ଶ୍ରାବଣ ଯାତ୍ରା ସମୟରେ ଭକ୍ତ ଓ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜୋରଦାର ହେଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply