Home / ମୁଖ୍ୟ ଖବର / ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସର ସାମୂହିକ ଶପଥ

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସର ସାମୂହିକ ଶପଥ

ରାଜ୍ୟ ପୋଲିସ ମୁଖ୍ୟାଳୟ ସମେତ ୩୫ ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା କାର୍ଯ୍ୟାଳୟରେ ଶପଥ ପାଠ

କଟକ, ୧୮/୦୮/୨୦୨୬: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାମୁକ୍ତ ସମାଜ ଗଠନ ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ସାମୂହିକ ନିଶାମୁକ୍ତି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ରାଜ୍ୟ ପୋଲିସ ମୁଖ୍ୟାଳୟ, କଟକ ସମେତ ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ସମସ୍ତ ଥାନା ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ପୋଲିସ ଅଧିକାରୀ ଓ କର୍ମଚାରୀମାନେ ନିଶାଦ୍ରବ୍ୟରୁ ଦୂରେଇ ରହିବା ସହ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ସଙ୍କଳ୍ପ ନେଇଥିଲେ।

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଭାବେ ନିଶାମୁକ୍ତି ଶପଥ ଗ୍ରହଣ କରିଥିଲେ। ନିଜେ ନିଶାଦ୍ରବ୍ୟ ସେବନ ନକରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ଓଡ଼ିଶାକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବାକୁ ସମସ୍ତେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ନିଶାମୁକ୍ତ ସମାଜ ଗଠନରେ ଯୁବଶକ୍ତିର ଭୂମିକାକୁ ଗୁରୁତ୍ୱ ଦିଆଯାଇ ରାଜ୍ୟରେ ନିଶା ନିବାରଣର ବାର୍ତ୍ତାକୁ ବ୍ୟାପକ କରିବା ଉପରେ ଜୋର ଦିଆଯାଇଛି। ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସ ପ୍ରଶାସନ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଛି।

କଟକ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ଶ୍ରୀ ପ୍ରବୀଣ କୁମାର, ଆଇଜିପି (କେନ୍ଦ୍ରାଞ୍ଚଳ) ଶ୍ରୀ ସତ୍ୟଜିତ ନାୟକ, ଡିଆଇଜିପି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମିନା ଏବଂ ଡିଆଇଜିପି (କାର୍ମିକ) ଶ୍ରୀ ଯୁଗଳ କିଶୋର ବୋନଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସାମୂହିକ ଶପଥ ମାଧ୍ୟମରେ ନିଶା ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିବା ସହ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଦିଗରେ ଓଡ଼ିଶା ପୋଲିସର ପ୍ରତିବଦ୍ଧତା ପୁଣିଥରେ ସ୍ପଷ୍ଟ ହୋଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply