Home / ମୁଖ୍ୟ ଖବର / ବନ୍ୟା ପ୍ରଭାବିତଙ୍କ ପାଇଁ ₹୧,୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା

ବନ୍ୟା ପ୍ରଭାବିତଙ୍କ ପାଇଁ ₹୧,୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା

୬ ଜିଲ୍ଲାର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ; ଚାଷୀ, ମତ୍ସ୍ୟଜୀବୀ ଓ କ୍ଷତିଗ୍ରସ୍ତ ଭିତ୍ତିଭୂମି ପାଇଁ ମିଳିବ ସହାୟତା

ଭୁବନେଶ୍ୱର, ୧୮ ଅଗଷ୍ଟ ୨୦୨୬: ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ₹୧,୦୦୦ କୋଟିର ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ଆଧାରରେ ଏହି ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ଚୂଡ଼ାନ୍ତ ଆକଳନ ପରେ ସହାୟତାର ପରିମାଣ ଆହୁରି ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତକାଲି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିବା ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏକ ଉଚ୍ଚସ୍ତରୀୟ ବୈଠକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ଲୋକସେବା ଭବନଠାରେ ଗଣମାଧ୍ୟମକୁ ସୂଚନା ଦେଇ ସହାୟତା ପ୍ୟାକେଜ୍‌ର ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏଥିପାଇଁ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ଏବଂ ଆବଶ୍ୟକତା ଅନୁଯାୟୀ ସମସ୍ତ ସହାୟତା ଯୋଗାଇ ଦିଆଯିବ।

୬ ଜିଲ୍ଲାରେ ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଚଳିତ ବର୍ଷର ଅସ୍ୱାଭାବିକ ବର୍ଷାକୁ ବନ୍ୟାର ପ୍ରମୁଖ କାରଣ ଭାବେ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜୁନ୍, ଜୁଲାଇ ଓ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ପ୍ରାୟ ୩୪ ପ୍ରତିଶତ ଅଧିକ। ଗତ ୨୫ ବର୍ଷ ମଧ୍ୟରେ ଏପରି ପରିସ୍ଥିତି ଦେଖାଯାଇନଥିବା ସେ କହିଛନ୍ତି।

ଭଦ୍ରକ ଓ ଯାଜପୁର ସମେତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା—ଏହି ୬ ଜିଲ୍ଲାର ୭୪ଟି ବ୍ଲକ୍‌ର ୧୩୮୧ଟି ଗାଁର ୯.୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୫୫୦ଟି ରିଲିଫ୍ କ୍ୟାମ୍ପରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୪୫ଟି ODRAF, ୮ଟି NDRF ଏବଂ ୬୫ଟି ଅଗ୍ନିଶମ ସେବା ଦଳ ନିୟୋଜିତ ହୋଇଛନ୍ତି।

ଚାଷୀଙ୍କୁ ମିଳିବ କୃଷି ଇନପୁଟ୍ ସବସିଡି

ବନ୍ୟାରେ ୩୩ ପ୍ରତିଶତ କିମ୍ବା ତାଠାରୁ ଅଧିକ ଫସଲ କ୍ଷତି ହୋଇଥିବା ଚାଷୀଙ୍କୁ ସରକାର କୃଷି ଇନପୁଟ୍ ସବସିଡି ପ୍ରଦାନ କରିବେ। ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹୮,୫୦୦, ଜଳସେଚିତ ଅଞ୍ଚଳରେ ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ₹୨୨,୫୦୦ ସହାୟତା ମିଳିବ।

ଏହାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ DBT ମାଧ୍ୟମରେ ଆର୍ଥିକ ସହାୟତା, ମାଗଣା ପନିପରିବା ମିନିକିଟ୍ ଏବଂ ବନ୍ୟା ପରବର୍ତ୍ତୀ ରୋଗପୋକ ନିୟନ୍ତ୍ରଣ ପାଇଁ ୭୫ ପ୍ରତିଶତ ସବସିଡି ଦିଆଯିବ।

କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ସହ ପ୍ରାଣୀସମ୍ପଦ କ୍ଷତି ପାଇଁ ମଧ୍ୟ ଆର୍ଥିକ ସହାୟତା ମିଳିବ। ନଷ୍ଟ ହୋଇଥିବା ଡଙ୍ଗା, ଜାଲ ଓ ପୋଖରୀ ପାଇଁ ମଧ୍ୟ କ୍ଷତିପୂରଣ ବ୍ୟବସ୍ଥା ରହିଛି।

ଋଣ ପୁନର୍ଗଠନ ସହ ହସ୍ତଶିଳ୍ପ ଓ ହସ୍ତତନ୍ତକୁ ସହାୟତା

ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପମିଆଦୀ ଖରିଫ୍ କୃଷି ଋଣକୁ ମଧ୍ୟମ ଅବଧି କୃଷି ଋଣରେ ପରିଣତ କରାଯିବ। ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ କ୍ଷତିଗ୍ରସ୍ତ ଉପକରଣ ଓ ଯନ୍ତ୍ରପାତି କିଣିବା ପାଇଁ ₹୫,୦୦୦ ଏବଂ କଞ୍ଚାମାଲ କିମ୍ବା ପ୍ରସ୍ତୁତ ସାମଗ୍ରୀ ନଷ୍ଟ ପାଇଁ ଆଉ ₹୫,୦୦୦ ସହାୟତା ଦିଆଯିବ।

ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟ ଓ କେନାଲବନ୍ଧର ସାମୟିକ ମରାମତି ତୁରନ୍ତ କରାଯିବ। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ସ୍ଥାୟୀ ମରାମତି ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ।

ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ରିଲିଫ୍ ଜାରି

ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ଜାରି ରହିବ। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ରିଲିଫ୍ ଚାଉଳ ମଧ୍ୟ ଯୋଗାଇ ଦିଆଯିବ। ବନ୍ୟା ପ୍ରଭାବିତ ପରିବାରଙ୍କୁ ବାସନ-କୁସନ ଓ ବସ୍ତ୍ର ପାଇଁ ମଧ୍ୟ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଗତକାଲି ଯାଜପୁରର ଦଶରଥପୁର ବ୍ଲକ୍‌ର କସପା ଓ ତରପଦା ପଞ୍ଚାୟତ ଏବଂ ଭଦ୍ରକର ତିହିଡ଼ି ବ୍ଲକ୍‌ର ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ। ବୋଟ୍ ଓ ପାଦରେ ଚାଲି ସେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଯାଜପୁରର ରାମଚନ୍ଦ୍ରପୁର ସ୍କୁଲରେ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିବା ସହ ଭଦ୍ରକର ଦପାନାଆକାଣି ସ୍କୁଲ୍‌ସ୍ଥିତ ଆଶ୍ରୟସ୍ଥଳ ପରିଦର୍ଶନ କରି ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କଠାରୁ ଜାଣିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆମ ସରକାର ଲୋକଙ୍କ ସରକାର। ଯେକୌଣସି ବିପର୍ଯ୍ୟୟ ଆସୁନା କାହିଁକି, ଆମେ ଲୋକଙ୍କ ସୁଖଦୁଃଖରେ ଅଛୁ ଓ ରହିବୁ।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply