ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ ଡଭାର ପଞ୍ଚାୟତ ଅନ୍ତର୍ଗତ ଇଟାକୁଦ ନିକଟସ୍ଥ ମୁଗେଇ-ଧନୁଆ ନଦୀର ସଙ୍ଗମସ୍ଥଳୀରେ ବନ୍ୟାଜଳର ପ୍ରବଳ ସ୍ରୋତ ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। କ୍ରମାଗତ ବର୍ଷା ଓ ପ୍ରବଳ ଜଳସ୍ରୋତରେ ମୁଗେଇ ନଦୀର ବନ୍ଧ ବାରମ୍ବାର ଧସିବା ସହ ମାଟି ଅତଡ଼ା ଖସୁଥିବାରୁ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।
ଏହି ସଙ୍ଗମସ୍ଥଳୀ ଦେଇ ତିନିମୁହାଣୀ ସ୍ଲୁଇସ୍ ଗେଟ୍ ମାଧ୍ୟମରେ ବନ୍ୟାଜଳ ଭାର୍ଗବୀ ନଦୀ କାଜକୁ ପ୍ରବେଶ କରି ପରବର୍ତ୍ତୀ ସମୟରେ କୁଶଭଦ୍ରା ନଦୀରେ ମିଶିଥାଏ। ତେବେ ପ୍ରବଳ ବର୍ଷା ଓ ଜଳସ୍ରୋତ ଯୋଗୁଁ ବନ୍ଧ ଧସିବା ସହ ନିକଟସ୍ଥ ଲୁଣାହାର ଆର୍.ଡି. ରାସ୍ତାର ଏକ ବଡ଼ ଅଂଶ ଫାଟି ଖସିଯାଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ଓ ଚାଷକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୨୫ ବର୍ଷ ପୂର୍ବେ ନିର୍ମିତ ସଙ୍କୁଚିତ ବ୍ରିଜ୍ଟି ବର୍ତ୍ତମାନ ବନ୍ୟାଜଳ ନିଷ୍କାସନରେ ବଡ଼ ପ୍ରତିବନ୍ଧକ ସାଜିଛି। ବ୍ରିଜ୍ଟି ଅତ୍ୟନ୍ତ ସରୁ ହୋଇଥିବାରୁ ପ୍ରବଳ ବନ୍ୟା ସମୟରେ ଜଳପ୍ରବାହ ଓ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଫଳରେ ବନ୍ଧ ଓ ରାସ୍ତା ବାରମ୍ବାର କ୍ଷତିଗ୍ରସ୍ତ ହେଉଛି। ତେଣୁ ବ୍ରିଜ୍ର ବୈଷୟିକ ଅନୁଧ୍ୟାନ କରି ଏହାକୁ ଓସାରିଆ ଓ ସୁଦୃଢ଼ କରିବାକୁ ଦାବି ହୋଇଛି।
ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ତଥା ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟିର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ (ଲୁଲୁ)ଙ୍କ ସମେତ ଯୁବ କାର୍ଯ୍ୟକର୍ତ୍ତାମାନେ। ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ତୁରନ୍ତ ଓ ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ତାଙ୍କ ପ୍ରମୁଖ ଦାବି ଅନୁଯାୟୀ ମୁଗେଇ-ଧନୁଆ ସଙ୍ଗମସ୍ଥଳୀରେ ଧସିଥିବା ବନ୍ଧର ତୁରନ୍ତ ସୁଦୃଢ଼ୀକରଣ କରାଯାଉ।
କେବଳ ଅସ୍ଥାୟୀ ବାଲିବସ୍ତା ଉପରେ ନିର୍ଭର ନକରି ପାଚେରୀ ନିର୍ମାଣ କିମ୍ବା ପଥର ପ୍ୟାକିଂ ମାଧ୍ୟମରେ ସ୍ଥାୟୀ ପ୍ରତିକାର କରାଯାଉ। ପ୍ରାୟ ୨୫ ବର୍ଷ ପୁରୁଣା ସଙ୍କୁଚିତ ବ୍ରିଜ୍ର ବୈଷୟିକ ଅନୁଧ୍ୟାନ କରାଯାଇ ଆବଶ୍ୟକତା ଅନୁଯାୟୀ ଏକ ନୂତନ ଓସାରିଆ ଓ ସୁଦୃଢ଼ ବ୍ରିଜ୍ ନିର୍ମାଣ କରାଯାଉ। ଧସିଯାଇଥିବା ଲୁଣାହାର/ଆର୍.ଡି. ରାସ୍ତାର ତୁରନ୍ତ ମରାମତି କରି ଗମନାଗମନ ସ୍ୱାଭାବିକ କରାଯାଉ।
ଏହି ଦାବିଗୁଡ଼ିକୁ ତୁରନ୍ତ ପୂରଣ କରାନଗଲେ ଆଗାମୀ ଦିନରେ ଚାଷୀ ଓ ଗ୍ରାମବାସୀଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ପ୍ରଶାନ୍ତ ସ୍ୱାଇଁ ଚେତାବନୀ ଦେଇଛନ୍ତି।
ଏହି ଦାବିକୁ ସମର୍ଥନ କରି ବିଜେପି ଯୁବ ମୋର୍ଚ୍ଚା ସଭାପତି ସୌମ୍ୟରଞ୍ଜନ ବେହେରା, ଶିବାନୀ ଶଙ୍କର ସେଠୀ, ପ୍ରଦୀପ ବେହେରା, ପ୍ରଦୀପ୍ତ ରାୟଗୁରୁ, ତାପସ ବେହେରାଙ୍କ ସମେତ ଅନ୍ୟ ଯୁବ ପ୍ରତିନିଧିମାନେ ମଧ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।











