ସତ୍ୟବାଦୀ : ୦୪/୦୨/୨୦୨୬ – ପଞ୍ଚସଖାଙ୍କ ପବିତ୍ର ଭୂମି ସାକ୍ଷୀଗୋପାଳରେ ପ୍ରତିବର୍ଷ ପାଳିତ ହୋଇଆସୁଥିବା ସତ୍ୟବାଦୀ ମହୋତ୍ସବ ଏବର୍ଷ ଫେବୃୟାରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଚସଖା ପଡିଆରେ ଆୟୋଜିତ ହେବ। ତେବେ ଆଜିଠୁ ସତ୍ୟବାଦୀ ମହୋତ୍ସବ ୨୦୨୬ ମହୋତ୍ସବ ପାଇଁ ସତ୍ୟବାଦୀ ଚଳଚଞ୍ଚଳ ହୋଇ ଉଠିଛି ।

ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ଚର୍ଚ୍ଚିତ ଜ୍ୟୋତି ଯାତ୍ରା ଫେବୃୟାରୀ ୫ ତାରିଖ ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।
ମହୋତ୍ସବକୁ ସୁସଂଗଠିତ ଓ ସଫଳ ଭାବେ ପରିଚାଳନା କରିବା ଉଦ୍ଦେଶ୍ୟରେ ମଙ୍ଗଳବାର (୦୩ /୦୨/୨୦୨୬) ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ମହୋତ୍ସବ ସମ୍ପାଦକ ଦୀପକ କୁମାର ଶତପଥୀ ଅଧ୍ୟକ୍ଷତା କରିଥିଲେ।
ସମ୍ମିଳନୀରେ କମିଟି ସଂଯୋଜକ ଜାନକୀବଲ୍ଲଭ ବରାଳ, ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର, ଉପସଭାପତି ରଞ୍ଜନ କୁମାର ବରାଳ, ସଂସ୍କୃତିକ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେମାନେ ସତ୍ୟବାଦୀ ମହୋତ୍ସବକୁ ଏକ ଗୌରବମୟ ଓ ସାଂସ୍କୃତିକ ପରମ୍ପରାର ପ୍ରତୀକ ଭାବେ ଉଲ୍ଲେଖ କରିଥିଲେ।
ଏହି ଉତ୍ସବ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଲୋକପରମ୍ପରାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ରହିଛି ବୋଲି କହି ସମସ୍ତ ସାମ୍ବାଦିକଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।

ଏଥିରେ ସାମ୍ବାଦିକ ବସନ୍ତ କୁମାର ପଟ୍ଟନାୟକ, ଅଶୋକ ବେହେରା, ଅମର ଶତପଥୀ, ଭରତ ରାଉତ, ପ୍ରଶାନ୍ତ କୁମାର ବାରିକ, ପ୍ରଭାତ କୁମାର ମିଶ୍ର, ରାଜକିଶୋର ସେନାପତି, ସନ୍ତୋଷ କୁମାର ପଣ୍ଡା, ଦେବତିକ୍ତ ମିଶ୍ର, ବିଶ୍ୱଜିତ ପଟ୍ଟନାୟକ, ତୁଷାର ରଞ୍ଜନ ନାୟକ, ଅରୁଣ ରାଉତ, ଧିରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଦିଆଯାଇଥିବା ଦାୟିତ୍ୱଗୁଡ଼ିକୁ ନିଷ୍ଠା ଓ ସମୟବଦ୍ଧତା ସହ ସମ୍ପାଦନ କରି ମହୋତ୍ସବକୁ ସୁନ୍ଦର, ସରସ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ସତ୍ୟବାଦୀ ମହୋତ୍ସବ–୨୦୨୬ ର ଚାରିଦିନିଆ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ ପାଇଛି। ଫେବୃଆରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଚସଖା ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପାରମ୍ପରିକ ନୃତ୍ୟ–ସଙ୍ଗୀତର ଅନନ୍ୟ ସମାହାର ଦେଖିବାକୁ ମିଳିବ।
ପ୍ରଥମ ଦିବସ (୦୫ ଫେବୃଆରୀ):
ମହୋତ୍ସବର ଶୁଭାରମ୍ଭ ଦିନ ଅପରାହ୍ନ ୪ଟା ୩୦ ମିନିଟ୍ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଆକର୍ଷଣୀୟ ଜ୍ୟୋତି ଯାତ୍ରା ସହ ହେବ। ସନ୍ଧ୍ୟା ୭ଟାରେ ମଞ୍ଚ ଉଦଘାଟନ ଓ ଉଦଘାଟନୀ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପରେ ସରସ୍ୱତୀ ଶିଶୁ ମନ୍ଦିର, ସାକ୍ଷୀଗୋପାଳର କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯିବ। ଅତିଥି ପରିଚୟ ପରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ “ଶ୍ରୀରାଧା” ନୃତ୍ୟ ପରିବେଷଣ ହେବ। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ତୃତୀୟ ପୁରସ୍କାର ବିଜେତାଙ୍କ ପ୍ରଦର୍ଶନ, ସ୍ୱୟମ ସ୍ୱାଇଁଙ୍କ ପାଇକ ଆଖଡ଼ା, ଦେବସ୍ମିତା ହୋତାଙ୍କ କଳା ପରିବେଷଣ ଓ ଏସ୍. ଜିତୁ–ସୌଜନ୍ୟା ରଥଙ୍କ ମେଲୋଡି ମ୍ୟୁଜିକ ସହ ପ୍ରଥମ ଦିନର କାର୍ଯ୍ୟକ୍ରମ ସମାପ୍ତ ହେବ।
ଦ୍ୱିତୀୟ ଦିବସ (୦୬ ଫେବୃଆରୀ):
ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ କୁଇଜ୍ କାର୍ଯ୍ୟକ୍ରମ ଏବଂ ୫ଟାରୁ ୬ଟା ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରୀୟ ପୁରସ୍କାର ବିତରଣ ଅନୁଷ୍ଠିତ ହେବ। ପରେ ବିଦ୍ୟାଳୟ ସ୍ତରୀୟ ତୃତୀୟ ପୁରସ୍କାର ବିଜେତାଙ୍କ ପ୍ରଦର୍ଶନ, ସିଙ୍ଘମ କ୍ରିଏଟିଭ୍ର ବାରମାସୀ ନୃତ୍ୟ, ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟ ସଂସ୍ଥାଙ୍କ ଓଡ଼ିଶୀ ଓ କ୍ରିଏଟିଭ୍ ଡାନ୍ସ ପରିବେଷଣ ହେବ। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଭାବେ ଅନ୍ତରା ଚକ୍ରବର୍ତ୍ତୀ ଓ କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତ ପରିବେଷଣ ରହିଛି।
ତୃତୀୟ ଦିବସ (୦୭ ଫେବୃଆରୀ):
ଏହି ଦିନ ସତ୍ୟବାଦୀ ହାଇସ୍କୁଲ ଓ ବିଦ୍ୟାଳୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ବିଜେତାଙ୍କ ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ଆରମ୍ଭ ହେବ। ପରେ ଷ୍ଟାର୍ ଧମାକା, ସଂସ୍କୃତି ବିଭାଗ (ଶିଳ୍ପିକା), ସାଇ ସମୃଦ୍ଧି ନୃତ୍ୟ କେନ୍ଦ୍ରଙ୍କ ନୃତ୍ୟ ପରିବେଷଣ ହେବ। “ସତ୍ୟବାଦୀ ର ସଂଳାପ” ନାମକ ବିଶେଷ ନାଟ୍ୟ ପ୍ରଦର୍ଶନ ସତ୍ୟବାଦୀ ମହୋତ୍ସବ କମିଟି ପକ୍ଷରୁ ଉପସ୍ଥାପିତ ହେବ। ରୁକୁ ସୁନା ଓ ସୋହିନୀ ମିଶ୍ରଙ୍କ ମେଲୋଡି ସହ ଦିନଟି ସମାପ୍ତ ହେବ।
ଚତୁର୍ଥ ଦିବସ (୦୮ ଫେବୃଆରୀ):
ଶେଷ ଦିନ ବଜାଶାଲ ନୃତ୍ୟ (ପ୍ରତିଭା, ଭବାନୀପାଟଣା), ବିଦ୍ୟାଳୟ ସ୍ତରୀୟ ପ୍ରଥମ ପୁରସ୍କାର ବିଜେତାଙ୍କ ପ୍ରଦର୍ଶନ ଓ ଅଭିନୟନ ନୃତ୍ୟ ଏକାଡେମୀର କଳା ପରିବେଷଣ ହେବ। ଅରୁଣିତା ଓ ନିହାଲ ତାଉରୋଙ୍କ ସଙ୍ଗୀତ ପରିବେଷଣ ସହ ସତ୍ୟବାଦୀ ମହୋତ୍ସବ–୨୦୨୬ ର ସଫଳ ସମାପନ ହେବ।











