ପୁରୀ / ନିମାପଡ଼ା:- ପୁରୀ ଜିଲ୍ଲା ନିମାପଡ଼ାରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଓ ପ୍ରଶାସନିକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟ ପାଇଁ ଚିହ୍ନଟ ହୋଇଥିବା ଗୋଚର ଜମି ବଦଳରେ ସମାନ ପରିମାଣର ବିକଳ୍ପ ଜମି ଚିହ୍ନଟ ଓ ସଂରକ୍ଷଣ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିମାପଡ଼ା ପାଟପୁର ମୌଜାର ଖାତା ନଂ ୫୯୫ (ରକ୍ଷିତ) ର ପ୍ଲଟ୍ ନଂ ୭୨୩, ୭୨୫ ଓ ୭୬୨ରୁ ମୋଟ ୪.୦୭ ଏକର ଗୋଚର ଜମି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବିତ ହୋଇଛି। ଏହାସହିତ ମୋଟ ୮.୭୭ ଏକର (ପୁରାତନ ପତିତ ଜମି ସହ) ଜମି ପ୍ରସ୍ତାବରେ ରହିଛି। ତେବେ ଗୋଚର ଜମି ପ୍ରକଳ୍ପ ପାଇଁ ବ୍ୟବହୃତ ହେଉଥିବାରୁ ସ୍ଥାନୀୟ ଚାଷୀ ଓ ଗୋସମ୍ପଦଙ୍କ ସୁରକ୍ଷା ପାଇଁ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଗତ ଅଗଷ୍ଟ ୧୪ ତାରିଖରେ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦାଖଲ କରିଥିଲେ।
ସର୍ବୋଚ୍ଚ ଅଦାଲତ (ସୁପ୍ରିମ୍ କୋର୍ଟ)ଙ୍କ ‘ଜଗପାଲ ସିଂହ ଓ ଅନ୍ୟାନ୍ୟ ବିରୁଦ୍ଧ ପଞ୍ଜାବ ସରକାର’ ମାମଲାର ରାୟ ଏବଂ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ଅନୁସାରେ ଗ୍ରାମୀଣ ଗୋଚର ଜମିର ସଂରକ୍ଷଣ ଅତ୍ୟନ୍ତ ଜରୁରୀ। ଯଦି କୌଣସି ଜନହିତକର ପ୍ରକଳ୍ପ ପାଇଁ ଗୋଚର ଜମି ଅଣ-ସଂରକ୍ଷିତ କରାଯାଏ, ତେବେ ସେହି ଗ୍ରାମ କିମ୍ବା ପାଖାପାଖି ଅଞ୍ଚଳରେ ସମାନ ପରିମାଣର ଅନାବାଦୀ ଜମିକୁ ‘ଗୋଚର’ ଭାବେ ପୁନଃ-ସଂରକ୍ଷିତ କରିବା ବାଧ୍ୟତାମୂଳକ। ଏହି ମର୍ମରେ ପାଟପୁର ଗ୍ରାମ ଆଖପାଖରେ ୪.୦୭ ଏକର ବିକଳ୍ପ ଅନାବାଦୀ ଜମି ଚିହ୍ନଟ କରିବାକୁ ନିମାପଡ଼ା ତହସିଲଦାରଙ୍କୁ ଅନୁରୋଧ କରାଯାଇଥିଲା।
ଏହି ପ୍ରତିନିଧିତ୍ୱ ଆଧାରରେ ରାଜସ୍ୱ ବିଭାଗର ଉପ-ସଚିବ ପ୍ରୀତିପର୍ଣ୍ଣା ମିଶ୍ର (ଓଏଏସ୍) ଅଗଷ୍ଟ ୨୫ ତାରିଖରେ ପୁରୀ ଜିଲ୍ଲାପାଳଙ୍କୁ ଚିଠି (ନଂ ୩୫୯୪୩/ଆର୍ ଆଣ୍ଡ ଡିଏମ) ଲେଖି ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅନୁଲିପି ନିମାପଡ଼ା ତହସିଲଦାରଙ୍କୁ ମଧ୍ୟ ପଠାଯାଇଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ଶେଷ ନ ହେବା ପର୍ଯ୍ୟନ୍ତ ନିମାପଡ଼ାର ନୁହାରକିରୀଠାରେ ଏକ ଅସ୍ଥାୟୀ କୋଠା ଚିହ୍ନଟ କରାଯାଇଛି, ଯେଉଁଠାରେ ଶୀଘ୍ର ପାଠପଢ଼ା ଆରମ୍ଭ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଜାରି ରହିଛି।











