କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ ପରିସର, ପୁରୀରେ ଜାତୀୟ କ୍ରୀଡ଼ା ଦିବସ–୨୦୨୬ ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ନେଇ ଛାତ୍ରଛାତ୍ରୀମାନେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।
ପରିସର ପକ୍ଷରୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସୂଚନା ଜାରି ହୋଇଛି। କିନ୍ତୁ ଏହି ସମୟରେ ପରିସରର ଅଧିକାଂଶ ଛାତ୍ରଛାତ୍ରୀ ଭୌତିକ ଭାବେ ଉପସ୍ଥିତ ନାହାନ୍ତି।
ପରିସରର ଅଧିକାରିକ ସୂଚନା ଅନୁସାରେ ପ୍ରାକ୍-ଶାସ୍ତ୍ରୀ ଠାରୁ ଆଚାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ କ୍ଲାସ ଅନଲାଇନ୍ ହାଇବ୍ରିଡ୍ ମୋଡ୍ରେ ଚାଲିଛି। ଏହା ସହିତ ଛାତ୍ରାବାସ ମଧ୍ୟ ନବୀକରଣ କାର୍ଯ୍ୟ ପାଇଁ ବନ୍ଦ ରହିଛି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଗତ ପ୍ରାୟ ଦୁଇ ବର୍ଷ ଧରି ପରିସରରେ ଖେଳ ଅଧ୍ୟାପକ ଥିଲେ ମଧ୍ୟ ସେ ନିୟମିତ ଭାବେ ପରିସରରେ ଉପସ୍ଥିତ ରହୁନଥିଲେ। ସେ ବିଶ୍ୱବିଦ୍ୟାଳୟର ଖେଳ ନିର୍ଦ୍ଦେଶକ ଭାବରେ ଦାୟିତ୍ୱରେ ଥିବାରୁ ଅଧିକାଂଶ ସମୟ ପରିସର ବାହାରେ ରହୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।
ଏପରିକି ଗତ ବର୍ଷ ପରିସରର ବାର୍ଷିକ ଉତ୍ସବ ସମୟରେ ମଧ୍ୟ ଖେଳ ଅଧ୍ୟାପକଙ୍କ ଉପସ୍ଥିତି ନଥିବା ନେଇ ଛାତ୍ରଛାତ୍ରୀମାନେ ପରିସର ନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ ଏବଂ ପରିସରରେ ସ୍ଥାୟୀ ଭାବେ ଖେଳ ଅଧ୍ୟାପକ ନିଯୁକ୍ତି ପାଇଁ ଦାବି ରଖିଥିଲେ।
ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଖେଳ ଅଧ୍ୟାପକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଶ୍ରୀ ସଦାଶିବ ପରିସର ନିୟମିତ ଖେଳ ଅଧ୍ୟାପକଙ୍କ ବିନା ଚାଲିଛି।
“ଖେଳ ଅଧ୍ୟାପକ ନାହାନ୍ତି, ତେବେ ଖେଳାଳିଙ୍କୁ ପ୍ରଶିକ୍ଷଣ କିଏ ଦେବ?”
ଛାତ୍ରଛାତ୍ରୀଙ୍କ ମୁଖ୍ୟ ପ୍ରଶ୍ନ ହେଉଛି—
- ଯେତେବେଳେ ପରିସରରେ ନିୟମିତ ଖେଳ ଅଧ୍ୟାପକ ନାହାନ୍ତି, ସେତେବେଳେ ଛାତ୍ରଛାତ୍ରୀଙ୍କୁ ଉଚିତ ଖେଳ ପ୍ରଶିକ୍ଷଣ, Coaching ଓ Guidance କିଏ ଦେବ?”
- ପରିସରରେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। କିନ୍ତୁ ଏପରି ପ୍ରତିଭାକୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମିତ ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ଆବଶ୍ୟକ ପ୍ରୋତ୍ସାହନ ମିଳୁନଥିବା ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
- ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଯଦି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍ତମ Coaching, Guidance, ଆବଶ୍ୟକ Sports Infrastructure ଓ ପ୍ରୋତ୍ସାହନ ମିଳେ, ତେବେ ଶ୍ରୀ ସଦାଶିବ ପରିସରରୁ ମଧ୍ୟ ଭବିଷ୍ୟତରେ ଜାତୀୟ ସ୍ତରର ଖେଳାଳି ସୃଷ୍ଟି ହୋଇପାରିବେ। ସେମାନେ ନିଜ ପରିସର, ବିଶ୍ୱବିଦ୍ୟାଳୟ ଓ ଓଡ଼ିଶାର ଗୌରବ ବଢ଼ାଇପାରିବେ।
ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଜାତୀୟ କ୍ରୀଡ଼ା ଦିବସ ପାଳନକୁ ସ୍ୱାଗତ ଓ ସମ୍ମାନ କରୁଛନ୍ତି କିନ୍ତୁ ଜାତୀୟ କ୍ରୀଡ଼ା ଦିବସର ପ୍ରକୃତ ଉଦ୍ଦେଶ୍ୟ ଅନୁଯାୟୀ ଖେଳାଳି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ, Coaching, Guidance, ସୁଯୋଗ ଓ ପ୍ରୋତ୍ସାହନ ଦେବାକୁ ସେମାନେ ଦାବି କରିଛନ୍ତି।
ଛାତ୍ରଛାତ୍ରୀଙ୍କ ପ୍ରମୁଖ ଦାବି –
- ବର୍ତ୍ତମାନର ପରିସ୍ଥିତିରେ ଖେଳ ପ୍ରତିଯୋଗିତାକୁ ସ୍ଥଗିତ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟାପ୍ତ ଉପସ୍ଥିତି ପରେ ପୁନଃଆୟୋଜନ କରାଯାଉ।
- ସମସ୍ତ ସମ୍ପୃକ୍ତ ପାଠ୍ୟକ୍ରମର ନିୟମିତ ଅଫଲାଇନ୍ କ୍ଲାସ୍ ତୁରନ୍ତ ଆରମ୍ଭ କରାଯାଉ।
- ଛାତ୍ରାବାସ ବ୍ୟବସ୍ଥା ଶୀଘ୍ର ପୁନଃଚାଲୁ କରାଯାଉ।
- ପରିସରରେ ଯୋଗ୍ୟ ଓ ନିୟମିତ ଖେଳ ଅଧ୍ୟାପକ ନିଯୁକ୍ତ କରାଯାଉ।
- ପ୍ରତିଭାବାନ ଖେଳାଳି ଛାତ୍ରଛାତ୍ରୀଙ୍କୁ ନିୟମିତ Coaching, Guidance, Sports Equipment ଓ ପ୍ରତିଯୋଗିତାର ସୁଯୋଗ ଦିଆଯାଉ।
- ଖେଳ କାର୍ଯ୍ୟକ୍ରମର ପ୍ରକୃତ ଅଂଶଗ୍ରହଣ, ଉପସ୍ଥିତି ଓ ବ୍ୟୟରେ ପାରଦର୍ଶିତା ନିଶ୍ଚିତ କରାଯାଉ।
“ଆମର ଆବଶ୍ୟକତା କେବଳ ଏକ ଦିନର ଖେଳ କାର୍ଯ୍ୟକ୍ରମ ନୁହେଁ; ଆମର ଆବଶ୍ୟକତା ହେଉଛି ନିୟମିତ ପ୍ରଶିକ୍ଷଣ, ଯୋଗ୍ୟ ଖେଳ ଅଧ୍ୟାପକ, ଉପଯୁକ୍ତ ସୁଯୋଗ ଏବଂ ଆମ କ୍ରୀଡ଼ା ପ୍ରତିଭାକୁ ଜାତୀୟ ସ୍ତରକୁ ନେବା ପାଇଁ ପ୍ରତିଷ୍ଠାନଗତ ସମର୍ଥନ।”
ଛାତ୍ରଛାତ୍ରୀଙ୍କ ମତରେ, ଜାତୀୟ କ୍ରୀଡ଼ା ଦିବସର ପ୍ରକୃତ ସାର୍ଥକତା ଏକ ଦିନର କାର୍ଯ୍ୟକ୍ରମରେ ନୁହେଁ; ବରଂ ଆଜିର ପ୍ରତିଭାବାନ ଛାତ୍ରଙ୍କୁ ଆସନ୍ତାକାଲିର ଜାତୀୟ ସ୍ତରର ଖେଳାଳି ଭାବେ ଗଢ଼ି ତୋଳିବାରେ ରହିଛି।











