ପୁରୀ, ୩୦/୮ : ଦାବି ପୂରଣ ହୋଇନାହିଁ, ହେଲେ ପୁରୀବାସୀଙ୍କ ସଂକଳ୍ପରେ ଆସିନାହିଁ ଭଟ୍ଟା। ସତ୍ୟ, ଅହିଂସା ଓ ଶାନ୍ତିର ପଥରେ ଆଜି ୧୫୨ ଦିନରେ ପହଞ୍ଚିଛି ପୁରୀବାସୀଙ୍କ ସଚେତନତା ସତ୍ୟାଗ୍ରହ ପଦଯାତ୍ରା। ଝିପିଝିପି ବର୍ଷା ସତ୍ତ୍ୱେ ସତ୍ୟାଗ୍ରହୀମାନେ ନିଜ ସଂକଳ୍ପରେ ଅଟଳ ରହି ପଦଯାତ୍ରା ଜାରି ରଖିଛନ୍ତି। ପୁରୀବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦାବିରେ ଗତ ଏପ୍ରିଲ ୧ ତାରିଖରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ଅହିଂସାମୂଳକ ପଦଯାତ୍ରା ପ୍ରତିଦିନ ନିୟମିତ ଭାବେ ଜାରି ରହିଛି। ଆଜି ଝିପିଝିପି ବର୍ଷାକୁ ଖାତିର ନକରି ସତ୍ୟାଗ୍ରହୀମାନେ ଭକ୍ତ ସାଲବେଗ ପୀଠରେ ଏକାଠି ହୋଇ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ। ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ଓ ପୂର୍ବପରି ଦର୍ଶନ ବ୍ୟବସ୍ଥା ପୁନଃସ୍ଥାପନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।
ସତ୍ୟାଗ୍ରହ ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ୧୫୨ ଦିନ ଧରି ପୁରୀବାସୀ ଶାନ୍ତିପୂର୍ଣ୍ଣ ଓ ଅହିଂସାମୂଳକ ଉପାୟରେ ନିଜ ଅଧିକାର ଓ ଭାବନାର କଥା ରଖିଆସୁଛନ୍ତି। ଝିପିଝିପି ବର୍ଷା ହେଉ କି ଅନ୍ୟ କୌଣସି ପ୍ରତିକୂଳ ପରିସ୍ଥିତି, ପୁରୀବାସୀଙ୍କ ଏକତା ଓ ସଂକଳ୍ପ ଅଟଳ ରହିଛି। ସେ କହିଛନ୍ତି, ଏହି ଆନ୍ଦୋଳନ କୌଣସି ବ୍ୟକ୍ତି, ରାଜନୈତିକ ଦଳ କିମ୍ବା ସରକାର ବିରୋଧରେ ନୁହେଁ। ପୁରୀବାସୀଙ୍କ ଆସ୍ଥା, ପରମ୍ପରା ଓ ନ୍ୟାୟସଙ୍ଗତ ଅଧିକାରର ସୁରକ୍ଷା ପାଇଁ ଏହା ଏକ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସଚେତନତା ପଦଯାତ୍ରା ଥମିବ ନାହିଁ ବୋଲି ସେ କହିଛନ୍ତି।
ଏହି ସଚେତନତା ସତ୍ୟାଗ୍ରହ ପଦଯାତ୍ରାରେ ସର୍ବଶ୍ରୀ ଏହି ସଚେତନତା ସତ୍ୟାଗ୍ରହ ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାଶ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଭାରତୀ ମହାନ୍ତି, ବନିତା ଦୀକ୍ଷିତ, ମମତା ଦାସ, ମମତା ସ୍ବାଇଁ, ରମେଶ ଚନ୍ଦ୍ର ମହାନ୍ତି, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ତୋଷ ସେନାପତି, ସନ୍ତୋଷ କୁମାର ପାଢୀ, ଅମୁଲ୍ୟ ଭାଇ, ବାପିନା ସାମନ୍ତରା, କାଶୀନାଥ ସାହୁ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।
୧୫୨ ଦିନ ବିତିଗଲା। ଝିପିଝିପି ବର୍ଷା ବି ପୁରୀବାସୀଙ୍କ ସଂକଳ୍ପକୁ ଦୁର୍ବଳ କରିପାରିଲା ନାହିଁ। ଅହିଂସା, ଏକତା ଓ ସତ୍ୟର ପଥରେ ଏହି ପଦଯାତ୍ରା ନ୍ୟାୟସଙ୍ଗତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅବିରତ ଜାରି ରହିବ। ଜୟ ଶ୍ରୀଜଗନ୍ନାଥ।











