ନୟାଗଡ଼,ତା-୩୦.୮.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଉତ୍କଳ ସାହିତ୍ୟ ସମାଜ, ନୟାଗଡ ଶାଖାର ଅଷ୍ଟମ ବାର୍ଷିକୋତ୍ସବ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟାରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ପ୍ରଥମ, ଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ନୟାଗଡ଼ର ରୁଦ୍ର ମାଧବ ସାହୁ ଦ୍ୱିତୀୟ,
ଆରୁନ ଆୟୁଷ୍ମାନ ସାହୁ ଓ ବିଷ୍ଣୁପ୍ରିୟା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ଉତ୍କଳ ସାହିତ୍ୟ ସମାଜ ଶାଖାର ଅଷ୍ଟମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ କବି, ପ୍ରାବନ୍ଧିକ ଓ ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ ଯୋଗ ଦେଇଥିବା ବେଳେ,
ସମ୍ମାନିତ ଅତିଥି ଭାବେ “ଅଞ୍ଜନା” ର ସମ୍ପାଦିକା ଡ଼. ଗୀତାଞ୍ଜଳି ମହାପାତ୍ର ଓ ଗାଳ୍ପିକ ହାଡିବନ୍ଧୁ ମହାକୁଡ଼ ଯୋଗ ଦେଇଥିଲେ । ଅତିଥି ମାନେ ଉତ୍କଳ ସାହିତ୍ୟ ସମାଜର ଉନ୍ମେଷ ଓ ବିକାଶ ଏବଂ ଏହା କିପରି ଓଡ଼ିଆ ସାହିତ୍ୟକୁ ବିକଶିତ କରିବାରେ ସହାୟକ ହେଉଛି ସେ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । କବିତା ଗୁଡିକୁ ଅଧ୍ୟାପିକା ନୀଳିମା ନନ୍ଦ, ଲୁଣ୍ଡୁ ତ୍ରିପାଠୀ ଓ ବଂଶୀଧର ମହାପାତ୍ର ସଂଯୋଜନା କରିଥିଲେ । ସାହିତ୍ୟ କ୍ଷେତ୍ରରେ କିଛି ଉଲ୍ଲେଖନୀୟ ବ୍ୟକ୍ତିତ୍ୱଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ଶିଶୁକବି ବସିରନ ବିବି ଏଥିରେ ସଭାପତିତ୍ୱ କରିଥିବା ବେଳେ, ଉତ୍କଳ ସାହିତ୍ୟ ସମାଜ, ନୟାଗଡ ଶାଖାର ଆବାହକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହାକୁ ପରିଚାଳନା କରିଥିଲେ ।











