ନୟାଗଡ଼,ତା-୧୦.୯.୨୬ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧାନମନସ୍କତା ଓ ସୃଜନଶୀଳ ଚିନ୍ତାଧାରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ବିହାରସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ୟାଳୟର ବାର୍ଷିକ ବିଜ୍ଞାନମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନମେଳାରେ ୧୨୦ଟି ବିଜ୍ଞାନଭିତ୍ତିକ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ୪୦ ଜଣ ପୂର୍ବ ପ୍ରାଥମିକ କୁନି କୁନି ଶିଶୁ ମାନଙ୍କର କଣ୍ଢେଇ ମେଳା ସ୍ଥାନ ପାଇଥିଲା। କୁନି କୁନି ଶିଶୁ ବୈଜ୍ଞାନିକଙ୍କ ସୃଜନଶୀଳତା ଓ ପ୍ରତିଭା ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା।
ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ସମାଜସେବୀ ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଏହି ବିଜ୍ଞାନମେଳା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନମେଳା ପ୍ରମୁଖ ପବିତ୍ର ସାହୁ ଓ ନିର୍ମଳ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବରେ ନୟାଗଡ଼ ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ।ଦୈନନ୍ଦିନ ଜୀବନରେ ବିଜ୍ଞାନର ମୂଲ୍ଯ ବିଷୟରେ ଆଲୋଚନା କରିବା ସହିତ ଆମର ପ୍ରତ୍ଯେକଟି ଶିକ୍ଷା ରାଷ୍ଟ୍ର ପ୍ରତି ସମର୍ପିତ ହେବା ଆବଶ୍ଯକ ବୋଲି ଶିଶୁ ମାନଙ୍କ ପାଇଁ ବକ୍ତବ୍ଯ ରଖିଥିଲେ।

ବିଜ୍ଞାନମେଳାରେ ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ନିଜ ଚିନ୍ତାଧାରା, ଅନୁସନ୍ଧାନ ଓ ସୃଜନଶୀଳତାକୁ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଜ୍ଞାନର ବିଭିନ୍ନ ବିଷୟକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପଗୁଡ଼ିକ ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ନିଜ ପ୍ରକଳ୍ପ ସମ୍ପର୍କରେ କୁନି କୁନି ବୈଜ୍ଞାନିକମାନେ ଆତ୍ମବିଶ୍ୱାସର ସହ ବିଚାରକ ଓ ଅଭିଭାବକଙ୍କ ସମ୍ମୁଖରେ ବୁଝାଇଥିଲେ। ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ଶ୍ରେଣୀ ଅନୁଯାୟୀ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ପ୍ରଥମରୁ ଦ୍ୱିତୀୟ ଶ୍ରେଣୀ ପାଇଁ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ ଓ ମହେଶ ଗୁରୁଜୀ , ତୃତୀୟରୁ ଚତୁର୍ଥ ଶ୍ରେଣୀ ପାଇଁ ବିଦ୍ଯାଳୟର ଗୁରୁଜୀ ନିର୍ମଳ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ସାହୁ, ପଞ୍ଚମରୁ ସପ୍ତମ ଶ୍ରେଣୀ ପାଇଁ ବିଶିଷ୍ଟ ସ୍ବାସ୍ଥ୍ଯ ପରାମର୍ଶଦାତା ସୁରେନ୍ଦ୍ର କୁମାର ନାୟକ ଓ ଅବସରପ୍ରାପ୍ତ ଶିକ୍ଷା ପ୍ରଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ପାଇଁ ଅବସରପ୍ରାପ୍ତ ବିଜ୍ଞାନ ଅଧ୍ଯାପକ ଶରତ କୁମାର ନାୟକ ଓ ବିଦ୍ୟାଳୟର ବିଜ୍ଞାନ ଗୁରୁଜୀ ପବିତ୍ର ସାହୁ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ।ବିଚାରକମାନେ ପ୍ରକଳ୍ପର ବିଷୟବସ୍ତୁ, ନୂତନତ୍ୱ, ବୈଜ୍ଞାନିକ ଦୃଷ୍ଟିକୋଣ, ଉପସ୍ଥାପନା ଶୈଳୀ, ସୃଜନଶୀଳତା ଓ ପ୍ରକଳ୍ପର ବ୍ୟବହାରିକ ଉପଯୋଗିତା ଆଦି ବିଭିନ୍ନ ଦିଗକୁ ଆଧାର କରି ମୂଲ୍ୟାୟନ କରିଥିଲେ। ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ନିଜସ୍ୱ ଚିନ୍ତାଧାରା ଓ ପରୀକ୍ଷଣ ମାଧ୍ୟମରେ ବିଜ୍ଞାନକୁ ବୁଝିବାର ପ୍ରୟାସ କରିଥିବାରୁ ମେଳାର ପରିବେଶ ଉତ୍ସାହପୂର୍ଣ୍ଣ ହୋଇଉଠିଥିଲା। ବିଜ୍ଞାନମେଳାକୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ମଧ୍ୟ ଉତ୍ସାହର ସହ ପରିଦର୍ଶନ କରିଥିଲେ। ନିଜ ନିଜ ପିଲାଙ୍କ ପ୍ରକଳ୍ପ ଦେଖି ଅଭିଭାବକମାନେ ଗର୍ବିତ ଅନୁଭବ କରିଥିଲେ। ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନଟ କରି ତାହାକୁ ଉପଯୁକ୍ତ ଦିଗରେ ବିକଶିତ କରିବାରେ ଏଭଳି ବିଜ୍ଞାନମେଳା ଏକ ଉତ୍ତମ ମାଧ୍ୟମ ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପକ୍ଷରୁ ବିଜ୍ଞାନମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ କୁନି ପ୍ରତିଭା, ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ସେବାବ୍ରତୀ ଗୁରୁଜୀ ଓ ଗୁରୁମାମାନଙ୍କ ସକ୍ରିୟ ସହଯୋଗକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ। ପରିଶେଷରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। ଶିକ୍ଷା କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷା ମଧ୍ୟରେ ସୀମିତ ନୁହେଁ; ପିଲାମାନଙ୍କ ମଧ୍ୟରେ ପ୍ରଶ୍ନ କରିବା, ଚିନ୍ତା କରିବା, ପରୀକ୍ଷା କରିବା ଓ ନୂଆ କିଛି ସୃଷ୍ଟି କରିବାର ମାନସିକତା ଗଢ଼ି ତୋଳିବା ହେଉଛି ଶିକ୍ଷାର ଏକ ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆୟୋଜିତ ଏହି ବିଜ୍ଞାନମେଳା ଏହି ଦିଗରେ ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିଥିବା ବେଳେ କୁନି କୁନି ବୈଜ୍ଞାନିକଙ୍କ ଉତ୍ସାହ ଓ ସୃଜନଶୀଳତା ଆଗାମୀ ଦିନରେ ସେମାନଙ୍କୁ ବିଜ୍ଞାନମନସ୍କ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାର ଆଶା ସୃଷ୍ଟି କରିଛି।











