Home / ମୁଖ୍ୟ ଖବର / ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ଭୁବନେଶ୍ୱର, ୨୮ ଜୁଲାଇ ୨୦୨୬: ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ତଥା ଓଡ଼ିଶାର ଯୁବ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଜ୍ୟୋତିର୍ମୟୀ ତାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଜ୍ୟୋତିର୍ମୟୀ ଇଣ୍ଡିଆନ୍ ଆଇଡଲ୍‌ର ବିଜୟ ଟ୍ରଫି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କରିଥିଲେ।

ଜାତୀୟ ସ୍ତରରେ ଏହି ସଫଳତା ପାଇଁ ଜ୍ୟୋତିର୍ମୟୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଜ୍ୟୋତିର୍ମୟୀଙ୍କ ପରିଶ୍ରମ, ନିଷ୍ଠା ଓ ସଙ୍ଗୀତ ପ୍ରତି ଅଧ୍ୟବସାୟ ତାଙ୍କୁ ଏହି ସଫଳତା ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସୂଚନା ମିଳିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ନିଜର ପ୍ରତିଭା ଓ କଠିନ ସାଧନା ଦ୍ୱାରା ଜ୍ୟୋତିର୍ମୟୀ ଜାତୀୟ ମଞ୍ଚରେ ବିଜୟ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ରାଜ୍ୟର ନୂଆ ପିଢ଼ିର କଣ୍ଠଶିଳ୍ପୀ ଓ ସଙ୍ଗୀତପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଛନ୍ତି।

ସଙ୍ଗୀତ କ୍ଷେତ୍ରରେ ସଫଳତା ସହ ଜ୍ୟୋତିର୍ମୟୀଙ୍କ ସାମାଜିକ ସେବାମୂଳକ ଉଦ୍ୟମକୁ ମଧ୍ୟ ଏହି ଅବସରରେ ପ୍ରଶଂସା କରାଯାଇଛି। ସେ ନିଜର ସଙ୍ଗୀତ ପ୍ରତିଭାକୁ ମ୍ୟୁଜିକ୍ ଥେରାପି ମାଧ୍ୟମରେ ରୋଗୀଙ୍କ ସହାୟତାରେ ବ୍ୟବହାର କରୁଛନ୍ତି। ରାଜ୍ୟର ବିଭିନ୍ନ କ୍ୟାନ୍‌ସର ହସ୍ପିଟାଲରେ ସଙ୍ଗୀତ ମାଧ୍ୟମରେ ରୋଗୀଙ୍କ ମାନସିକ ଚାପ ଓ କଷ୍ଟ ହ୍ରାସ କରିବା ଦିଗରେ ସେ ପ୍ରୟାସ କରିଆସୁଛନ୍ତି।

ଜ୍ୟୋତିର୍ମୟୀଙ୍କ ଏହି ପ୍ରତିଭା ଓ ସେବାମନୋଭାବକୁ ପ୍ରଶଂସା କରି ତାଙ୍କୁ ଓଡ଼ିଶା ସମେତ ସମଗ୍ର ଦେଶର ଜଣେ ‘ଯୁବ ଆଇକନ୍’ ଭାବେ ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ରୋଗୀ ସେବାରେ ସଙ୍ଗୀତର ବ୍ୟବହାର ଆଗାମୀ ଦିନରେ ଏକ ନୂଆ ଦିଗ ଓ ଟ୍ରେଣ୍ଡ୍ ସୃଷ୍ଟି କରିପାରେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ନିଷ୍ଠା, ପ୍ରତିଭା ଓ ସାମାଜିକ ଦାୟିତ୍ୱବୋଧ ଓଡ଼ିଶାକୁ ଆହୁରି ସମୃଦ୍ଧ କରିବା ସହ ବିକଶିତ ଭାରତ ଗଠନରେ ମଧ୍ୟ ଯୋଗଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଇଣ୍ଡିଆନ୍ ଆଇଡଲ୍‌ରେ ଜ୍ୟୋତିର୍ମୟୀଙ୍କ ଯାତ୍ରା ସମୟରେ ରାଜ୍ୟବାସୀଙ୍କ ପକ୍ଷରୁ ମିଳିଥିବା ବ୍ୟାପକ ସମର୍ଥନ ଓ ଉତ୍ସାହ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ସଫଳତା ଓଡ଼ିଶାର କଳା ଓ ସଙ୍ଗୀତ ପ୍ରତିଭାକୁ ଜାତୀୟ ସ୍ତରରେ ଆହୁରି ଉଜ୍ଜ୍ୱଳ କରିଛି ବୋଲି ସେ କହିଛନ୍ତି।

ଏହି ସାକ୍ଷାତକାର ସମୟରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ମଧ୍ୟ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply