ପୁରୀ: ତା୩୧/୧୦/୨୬ – ପି.ଏମ୍.ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠ,ପୁରୀ**ପକ୍ଷରୁ ବିଦ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ବିଦ୍ୟାଳୟସ୍ତରୀୟ ଛାୟା ବିଧାନସଭା (Mock assembly) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅମୃତ ମିଶ୍ର ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି (ଏସ୍.ଏମ୍.ସି.)ର ସଭାପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଶାସକ ଓ ବିରୋଧୀ ଦଳର ସଦସ୍ୟ ଭାବେ ବିଧାନସଭାର ବାସ୍ତବ କାର୍ଯ୍ୟଧାରାକୁ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ। ପ୍ରଶ୍ନକାଳ, ଶୂନ୍ୟକାଳ ଓ ବିଲ୍ ଆଗତ ଭଳି ସଂସଦୀୟ ପ୍ରକ୍ରିୟାରେ ଅଂଶଗ୍ରହଣ କରି ବିରୋଧୀ ଦଳ ପକ୍ଷରୁ ବିଦ୍ୟାଳୟ ଓ ସାମାଜିକ ସମସ୍ୟାଗୁଡ଼ିକୁ ଦୃଢ଼ତାର ସହ ଉତ୍ଥାପନ କରାଯାଇଥିବା ବେଳେ ଶାସକ ଦଳ ପକ୍ଷରୁ ଯୁକ୍ତିଯୁକ୍ତ ଉତ୍ତର ଓ ସମାଧାନର ପ୍ରତିଶ୍ରୁତି ରଖାଯାଇଥିଲା। ଏଥିସହ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ନିୟନ୍ତ୍ରଣ, ଆବର୍ଜନା ପରିଚାଳନା ଓ ଇକୋ-କ୍ଲବ୍ର ସଶକ୍ତୀକରଣକୁ ନେଇ ବିଲ୍ ଆଗତ ଓ ଆଲୋଚନା କରାଯାଇଥିଲା।
ଏହି ଅଭିନବ ଶିକ୍ଷଣ ପ୍ରୟାସ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ମୂଲ୍ୟବୋଧ, ସଂସଦୀୟ ପରମ୍ପରା, ଯୁକ୍ତିପୂର୍ଣ୍ଣ ଉପସ୍ଥାପନା ଓ ଆଇନ ପ୍ରଣୟନ ପ୍ରକ୍ରିୟା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ନିଜ ବକ୍ତବ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ନେତୃତ୍ୱ, ଆତ୍ମବିଶ୍ୱାସ ଓ ଗଣତାନ୍ତ୍ରିକ ଚେତନାର ବିକାଶରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପୋଲିସ ହାଇସ୍କୁଲ ଓ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ଗାଇଡ୍ ଶିକ୍ଷକଙ୍କ ସହ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଏହି ସାମୂହିକ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଆନ୍ତଃବିଦ୍ୟାଳୟସ୍ତରୀୟ ଶିକ୍ଷଣୀୟ ଅନୁଭୂତିର ଏକ ସୁନ୍ଦର ମଞ୍ଚରେ ପରିଣତ କରିଥିଲା।
କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ଓ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ଦାଶ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପ୍ରତାପ କୁମାର ସାହୁ, ଆଶିଷ କୁମାର ଜେନା,ସବ୍ୟସାଚୀ ଦୀକ୍ଷିତ,ଦିବ୍ୟରେଖା ମହାନ୍ତି, ଶୁଭଲକ୍ଷ୍ମୀ ବରାଳ ଓ ଅନିତା ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ପି.ଏମ୍.ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠରେ ଛାୟା ବିଧାନସଭା ଅନୁଷ୍ଠିତ











