Home / ସଂସ୍କୃତି ଓ ପରମ୍ପରା / ଡେଲାଙ୍ଗରେ ରଜ ଉତ୍ସବ ପାଳିତ : ବରିଷ୍ଠ ଶିଶୁ ସାହିତ୍ୟିକ ଫକୀର ଚରଣ ପାଢୀଙ୍କ ପୁସ୍ତକ ଉନ୍ମୋଚିତ

ଡେଲାଙ୍ଗରେ ରଜ ଉତ୍ସବ ପାଳିତ : ବରିଷ୍ଠ ଶିଶୁ ସାହିତ୍ୟିକ ଫକୀର ଚରଣ ପାଢୀଙ୍କ ପୁସ୍ତକ ଉନ୍ମୋଚିତ

ଡେଲାଙ୍ଗ୧୪/୦୬/୨୦୨୩  ଓଡ଼ିଶାର ଗଣପର୍ବ ରଜ ଉତ୍ସବର ପହିଲି ଦିବସ ଅବସରରେ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଗଡମୋଟରୀ ବିଶ୍ଵନାଥଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ବୁଧବାର ପୂର୍ବାହ୍ନରେ ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ରଜ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ।  ନୂଆ ପୀଢିଙ୍କ ଭିତରେ ହଜିଯାଉଥିବା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରଜ ଉତ୍ସବରେ ନୃତ୍ୟ, ସଙ୍ଗୀତ,କବିତା ଆବୃତ୍ତି, ପୁଚି ଖେଳ, ଅଳତା ଲଗା, ରଙ୍ଗୋଲି, ମେହେନ୍ଦି, ବିଭିନ୍ନ ସୁଆଦିଆ ପିଠା ଓ ମିଠା, ରଜପାନ, ରଜଦୋଳି ଓ ଦଳଗତ ନୃତ୍ୟ ସଙ୍ଗୀତ ଆଦି ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାନ୍ଧୀ ତତ୍ତ୍ଵପ୍ରଚାରକ ତଥା ଜିଲ୍ଲା ଉତ୍କଳସମ୍ମିଳନୀ ଉପସଭାପତି ଅନାମ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି  ଉତ୍ସବକୁ ଉଦଘାଟନ କରିଥିଲେ । ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦ ସମ୍ପାଦିକା କବୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ରଜ ଉତ୍ସବ କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ ଅଧ୍ୟକ୍ଷତା କରିଥିଲେ। ଏଥିରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପ୍ରତିଷ୍ଠାତା ଶିକ୍ଷାବିତ୍ ତଥା ସାହିତ୍ୟିକ କାଶୀନାଥ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇରଖୁବା ଉଦ୍ଦେଶ୍ୟରେ ଡେଲାଙ୍ଗ ଶିଶୁ ସାହିତ୍ୟ ସଂସଦର ଅଭିନବ ପ୍ରୟାସ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ପ୍ରକୃତି ମିତ୍ର ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ, ଶିକ୍ଷକ ପର୍ଶୁରାମ ଜେନା, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ଧାଉଡିଆ ଓ ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ରଜ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଫକୀର ଚରଣ ପାଢୀଙ୍କ ଦ୍ଵାରା ଲିଖିତ “ତୁଷାର ମାନବ” ଏବଂ “ଦାନର ମହତ୍ତ୍ଵ” ପୁସ୍ତକଦ୍ଵୟ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପୁଚି ଖେଳ, ଅଳତା ଲଗା, ରଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସେଠୀ, ଶିକ୍ଷକ ଦିଲ୍ଲୀପ କୁମାର ବେହେରା ଓ ଛାତ୍ରୀ ସିତନୀ ପଟ୍ଟଯୋଶୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସହଯୋଗ ପାଇଁ ଅନୁଷ୍ଠାନର ପୃଷ୍ଠପୋଷକ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply