ସାଧାରଣତନ୍ତ୍ର ଦିବସରେ ସକାଳ ଆଠଟା ଯାଏଁ ଖୋଲିଲା ନାହିଁ ସ୍ଖୁଲ ତାଲା
ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା , ସ୍କୁଲ୍ ନଖୋଲିବାରୁ ଛାତ୍ରଛାତ୍ରୀ ମାନେ ରାଜରାସ୍ତା ରେ ଅପେକ୍ଷା କଲେ
ସତ୍ୟବାଦୀ :୨୬ .୧ .୨୦୨୪ (ଦୀପ୍ତିସୁନ୍ଦର ମହାପାତ୍ର )
ସାରା ଦେଶ ଆଜି ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ ଏହି ଅବସରରେ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ।ବିଶେଷ କରି ସମସ୍ତ 5t ବିଦ୍ୟାଳୟ ମାନଙ୍କରେ ସ୍ଵତନ୍ତ୍ର ଭାବରେ ଗଣତନ୍ତ୍ର ଦିବସ ପାଳନ ହେବା ସହ ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ଶିଶୁ ସୁରକ୍ଷା ବ୍ୟବସ୍ଥା ପ୍ରତି ବେଶ ତତ୍ପର ଥାଏ । କିନ୍ତୁ ଆଜିଭଳି ଦିନରେ ସକାଳ ସମୟରେ ସତ୍ୟବାଦୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ଛାତ୍ର ଛାତ୍ରୀ ମାନଙ୍କୁ ସକାଳ ୭ ଟା ସମୟରେ ବିଦ୍ୟାଳୟକୁ ଆସିବାକୁ ଗ୍ରୁପ୍ ରେ ସୂଚନା ଦିଆଯାଇଥିଲେ ମଧ୍ୟ ସକାଳ ୭.୪୦ ମିନିଟ୍ ବେଳକୁ ଗେଟ୍ ର ତାଲା ଖୋଲାଯାଇଥିଲା ଏବଂ ୮ ଟା ବେଳକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆସିଥିଲେ। ଫଳରେ ବିଦ୍ୟାଳୟ ନିକଟରେ ଥିବା ଜାତୀୟ ରାଜପଥ କଡରେ ପିଲାମାନେ ବିପଦପୂର୍ଣ୍ଣ ଭାବରେ ବୁଲୁଥିଲେ।
ସୂଚନା ଅନୁସାରେ ଆଜି ସଧାରଣତନ୍ତ୍ର ଦିବସ ପାଳନ ପାଇଁ ଗତ କାଲିଠାରୁ ମେସେଜ ଯୋଗେ ଅଭିଭାବକମାନଙ୍କୁ ଏବଂ ବିଦ୍ୟାଳୟ ଅଟୋ ଡ୍ରାଇଭରଙ୍କୁ କୁହାଯାଇଥିଲା କି ଆଜି ସକାଳ ସମୟରେ ୭ ଟା ବେଳେ ଆସି ପହଂଚିବା ପାଇଁ । ୮ଟା ସମୟରେ ଜାତୀୟ ପତାକା ଉତ୍ତୋଳନ ଏବଂ ୧୦:୩୦ ସମୟରେ ସ୍କୁଲ ର ଛୁଟି ହେବ ବୋଲି ସମୟ ନିର୍ଦ୍ଧାରିତ ହୋଇଥିଲା । ଶୀତରେ ଆଜି ସକାଳ ୬:୪୫ ରେ ପିଲାମାନେ ପହଞ୍ଚିଥିଲେ ସତ, କିନ୍ତୁ ପୂର୍ବ ନିର୍ଦ୍ଧାରିତ ସମୟରେ ପହଂଚିନଥିଲେ ସୁରକ୍ଷା କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଖୋଲାଯାଇନଥିଲା ବିଦ୍ୟାଳୟର ମୁଖ୍ୟ ଫାଟକ। ଯାହା ଫଳରେ ପିଲାମାନେ ୩୧୬ ନମ୍ବର ଜାତୀୟ ରାଜପଥରେ ବିପଦପୂର୍ଣ୍ଣ ଭାବରେ ଏଣେତେଣେ ବୁଲିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା
ଦୀର୍ଘ ପ୍ରାୟ ଏକ ଘଣ୍ଟା ପରେ ସୁରକ୍ଷା କର୍ମୀ ସକାଳ ୭:୪୦ ଆସି ସ୍କୁଲ ଫାଟକ ଖୋଲିଥିଲେ ଯାହାକି ସୁରକ୍ଷା କର୍ମୀ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷ ନିଜେ ମାନିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଏହି ପ୍ରକାର ଅବହେଳା ପାଇଁ ଯଦି ୩୧୬ ନମ୍ବର ଜାତୀୟ ରାଜପଥରେ ଘୁରି ବୁଲୁଥିବା ପିଲାଙ୍କର ଯଦି କିଛି ଦୁର୍ଘଟଣା ଘଟିଥାନ୍ତା ଏଥିପାଇଁ ଦାୟୀ କିଏ ରହିଥାନ୍ତା ? ଏହି ବିଷୟରେ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ କି ତାଙ୍କର ମାଆଙ୍କର ଶରୀର ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଘରକୁ ଯିବାକୁ ପଡ଼ିଥିଲା। ମାତ୍ର ସେ ସ୍କୁଲର କର୍ତ୍ତୁପକ୍ଷ ଏବଂ ଅନ୍ୟ ଶିକ୍ଷକ ମାନଙ୍କୁ ଫୋନ କରିଥିଲେ ମଧ୍ୟ କେହି ତାଙ୍କର ଫୋନ ଉଠେଇ ନଥିଲେ। ତେଣୁ ସେ ତାଙ୍କ ମାଆଙ୍କର ଅସୁସ୍ଥତା ପାଇଁ ନିଜ ଘରକୁ ଚାଲି ଯାଇଥିଲେ ଏବଂ ସେଥିପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିବାକୁ ତାଙ୍କୁ ଅସୁବିଧା ହେଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ବିଦ୍ୟାଳୟର ସୁରକ୍ଷା କର୍ମୀ ଏବଂ କର୍ତ୍ତୃପକ୍ଷଙ୍କ ଭିତରେ କିଭଳି ରହିଛି ଯୋଗାଯୋଗ। ପିଲାଙ୍କୁ ଦିଆଯାଇଥିବା ଧାର୍ଯ୍ୟ ସମୟକୁ ନେଇ କାହିଁକି ଖାମଖିଆଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଶିକ୍ଷକ? ନିର୍ଦ୍ଧାରିତ ସମୟରେ ପିଲାଙ୍କୁ ଆସିବାକୁ କହି, ନିଜେ ନିର୍ଦ୍ଧାରିତ ସମୟରେ କାହିଁକି ପହଁଚିଲେନି ସମସ୍ତ ଶିକ୍ଷକ । କି 5t ବିଦ୍ୟାଳୟ ଇଏ? ଯେଉଁଠି ନାହିଁ ସ୍ୱଚ୍ଛତା, ନାହିଁ ସମୟାନୁବର୍ତ୍ତିତା, ନାହିଁ ସୁରକ୍ଷା, ଯେଉଁଠି ରାଜରାସ୍ତାରେ ବୁଲୁଛନ୍ତି କୁନିକୁନି ଶିକ୍ଷାର୍ଥୀ।
ଖାଲି ସେତିକି ନୁହେଁ । ସାଧାରଣତନ୍ତ୍ର ଦିବସରେ ବିଦ୍ୟାଳୟ ଚାରିପାଖରେ ପଡିଛି କୁଢ଼ କୁଢ଼ ଅଳିଆ ଏବଂ ମଦ ବୋତଲ। ସ୍ୱଚ୍ଛତା ଓ ସଫା କରାଇବା କଥା ବୋଧହୁଏ ଭୁଲିଯାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ବିଦ୍ୟାଳୟରେ ଯେଉଁଠି ବିଦ୍ୟାଳୟ ସାମ୍ନାରେ ମଦ୍ୟପ, ଅସାମାଜିକ ମାଳ ମାଳ । ବିଦ୍ୟାଳୟ ସୁରକ୍ଷା ବ୍ୟବସ୍ଥା ପାଇଁ ଯେଉଁଠି ବାରମ୍ବାର ହେଉଛି ଅଭିଯୋଗ , କିନ୍ତୁ କୌଣସି ନାହିଁ ସମାଧାନ ।
ଏବେ ଦେଖିବାକୁ ବାକିରହିଲା କେବେ ବଦଳୁଛି ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟର ପରିବେଶ । କଣ ନିଆଯାଉଛି ପଦକ୍ଷେପ। ବାଜି ପଡିବ କି ଅସହାୟ ସୁରକ୍ଷା କର୍ମୀଙ୍କ ଚାକିରି ?











