Home / ଶିକ୍ଷା / ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ : ଆଦର୍ଶ ବିଦ୍ୟାଳୟ, ସତ୍ୟବାଦୀର ସଫଳତା

ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ : ଆଦର୍ଶ ବିଦ୍ୟାଳୟ, ସତ୍ୟବାଦୀର ସଫଳତା

aadarsha

ସତ୍ୟବାଦୀ : ୧୩/୫/୨୦୨୪ – ଆଜି ପ୍ରକାଶିତ ହୋଇଛି ସିବିଏସଇ ବୋର୍ଡର ଦଶମ ଶ୍ରେଣୀର ପରୀକ୍ଷା ଫଳ। ଏଥର ପାସ୍ ହାର ୯୩.୬୦% ରହିଛି, ଯାହା ଗତ ବର୍ଷ ତୁଳନାରେ ୦.୪୮% ଅଧିକ। ସୂଚନା ଅନୁସାରେ, ସିବିଏସଇ ଦଶମ ଫଳାଫଳରେ ଗତ ବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ। ୯୪.୭୫% ଝିଅ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୨.୭୧% ରହିଛି ।

ତେବେ ସତ୍ୟବାଦୀ ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ଛାତ୍ର ଛାତ୍ରୀ ମଧ୍ୟରୁ ୬୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିମଧ୍ୟରୁ ୧୪ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ରୁ ଉର୍ଦ୍ଧ ନମ୍ବର ରଖି ପାସ୍ କରିଛନ୍ତି। ସେଥିମଧ୍ୟରୁ ସାଇ ସୋହମ ପ୍ରଧାନ, ୫୦୦ ରୁ ୪୯୫ ନମ୍ବର (୯୯%), ସୁଶ୍ରୀ ସିମ୍ରନ ମହାପାତ୍ର ୫୦୦ ରୁ ୪୯୦ ନମ୍ବର (୯୮%), ନିବେଦିତା ଶତପଥୀ ୫୦୦ ରୁ ୪୮୬ ନମ୍ବର (୯୭.୨%) ରଖି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ସାଇ ସୋହମ ପ୍ରଧାନ, ଆଗକୁ ଡାକ୍ତର ହେବାର ସ୍ଵପ୍ନ ରଖିଛନ୍ତି। ସାଇ ସୋହମ ପ୍ରଧାନଙ୍କ, ପିତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପୁଅର ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ସଫଳତାର ଶ୍ରେୟ ସେ ତାର ମା’ ସ୍ଵର୍ଣ୍ଣଲତା ବିଶ୍ଵାଳ ଓ ସ୍କୁଲର ଗୁରୁଜୀ, ଗୁରୁମାମାନଙ୍କୁ ଦେଇଛନ୍ତି। ଏହି ସଫଳତା ପାଇଁ ସାଇ ସୋହମ ୧୪ ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ କରୁଥିଲେ ବୋଲି କହିଛନ୍ତି।

ସେହିଭଳି ସୁଶ୍ରୀ ସିମ୍ରନ ମହାପାତ୍ର ମଧ୍ୟ ଡାକ୍ତର ହୋଇ ଜନସେବା କରିବାର ସ୍ଵପ୍ନ ରଖିଛନ୍ତି। ସୁଶ୍ରୀ ସିମ୍ରନ ନିଜର ସଫଳତାରେ ଖୁସି ବ୍ୟକ୍ତ କରିଥିବା ବେଳେ ଏହି ସଫଳତାର ଶ୍ରେୟ ତାଙ୍କର ବୋଉ ପୁଷ୍ପଲତା ମିଶ୍ର, ନନା ଶ୍ରୀ ଭାଗ୍ୟଧର ମହାପାତ୍ର ଓ ସ୍କୁଲର ଗୁରୁଜୀ, ଗୁରୁମାମାନଙ୍କୁ ଦେଇଛନ୍ତି। ସୁଶ୍ରୀ ସିମ୍ରନଙ୍କ ପିତା ତାଙ୍କର ସ୍ଵପ୍ନ ପୂରଣ ପାଇଁ ତାଙ୍କୁ ସର୍ବଦା ସହଯୋଗ କରିବେ ବୋଲି କହିଛନ୍ତି।

ବିଦ୍ୟାଳୟର ଅଧ୍ୟକ୍ଷ ବିନ୍ଦୁସାଗର ସ୍ଵାଇଁ ବିଦ୍ୟାଳୟର ଏହି ସଫଳତା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ସଫଳତାର ଶ୍ରେୟ ସେ ଛାତ୍ର ଛାତ୍ରୀ ମାନଙ୍କର କଠିନ ପରିଶ୍ରମ ଏବଂ ସ୍କୁଲର ଗୁରୁଜୀ, ଗୁରୁମାମାନଙ୍କୁ ଦେଇଛନ୍ତି। ଛାତ୍ର ଛାତ୍ରୀମାନଙ୍କୁ ଭଲ କାମକରି ଦେଶସେବା କରିବାକୁ ଉପଦେଶ ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply