ସାକ୍ଷୀଗୋପାଳ,୪/୬/୨୦୨୫ : ନି:ପ୍ର – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ବାହୁଟ ସେବାପାଇଁ ଶ୍ରୀମନ୍ଦିର ପରମ୍ପରା କ୍ରମେ ସାକ୍ଷୀଗୋପାଳ ରେ ବୁଧବାର ବଉଳବୃକ୍ଷ ଚିହ୍ନଟ କରାଯାଇଛି। ଏହି ବୃକ୍ଷଟି ଆସନ୍ତା ଶୁକ୍ରବାର ନିର୍ଜଳା ଏକାଦଶୀ ତିଥିରେ ବରଣ କରାଯାଇ କଟାଯିବ। ଏଥିପାଇଁ ଶ୍ରୀମନ୍ଦିର ରଥ ନିର୍ମାଣ ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଙ୍କ ସହିତ ଭୋଇ ସର୍ଦ୍ଦାର ରବି ଭୋଇ ଓ ଧୋବା ଭୋଇ ସାକ୍ଷୀଗୋପାଳ ମନ୍ଦିର ଆଖପାଖ ବକୁଳବନ ମଧ୍ୟରେ ରହିଥିବା ବୃକ୍ଷ ଗୁଡିକ ଅନୁଧ୍ୟାନ କରିବା ପରେ ବାଳିକା ଉଚ୍ଚବିଦ୍ୟାଳୟ ପରିସର ବଉଳ ବୃକ୍ଷଟି ଚୟନ କରିଥିଲେ। ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧୃବ ଚରଣ ଦାସ, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ବକୁଳ ବନ ମହତ୍ସୋବ କମିଟି ସମ୍ପାଦକ ଯଯାତି କେଶରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ସ୍ନାନ ଓ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସାକ୍ଷୀଗୋପାଳ ବକୁଳବନ ର ଅଧିଶ୍ବର ଠାକୁର ଅଜା ସିଦ୍ଧ ବଳରାମ ଙ୍କ ନିକଟରୁ ଶ୍ରୀଅଙ୍ଗ ଲାଗି ବାହୁଟ ସେବାପାଇଁ ପ୍ରତିବର୍ଷ ବଉଳ କାଠ ବଳଦ ଶଗଡ଼ି ରେ ଶ୍ରୀକ୍ଷେତ୍ର ନିଆଯାଇଥାଏ। ମାତ୍ର ଚଳିତ ବର୍ଷ ସେନାପଟା ନିମନ୍ତେ ଆବଶ୍ୟକୀୟ ବଡ଼ ବଉଳବୃକ୍ଷ ସାକ୍ଷୀଗୋପାଳରେ ଅଭାବ ରହିଥିବାରୁ ଭୁବନେଶ୍ବର ଓ ଶାସନ ଦାମୋଦରପୁରରୁ ଅନ୍ୟ ଦୁଇଟି ବଉଳବୃକ୍ଷ ସଂଗ୍ରହ କରାଯାଇଛି ବୋଲି ସର୍ଦ୍ଦାର ଭୋଇ ସେବକ ରବି ଭୋଇ କହିଛନ୍ତି।
ଶ୍ରୀଅଙ୍ଗ ଲାଗି ବାହୁଟସେବା ପାଇଁ ସାକ୍ଷୀଗୋପାଳରୁ ବଉଳବୃକ୍ଷ ଚିହ୍ନଟ











