ନୟାଗଡ଼/ ତା – ୧୮.୬.୨୫ରିଖ- ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ଦେବୋତ୍ତର ବିଭାଗ ଦ୍ୱାରା ବିଗତ ଦୁଇ ବର୍ଷ (୨୦୨୩ ମସିହା) ରୁ ବଦଳାଯାଇଥିବା ନୟାଗଡ଼ ବିଜେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ତିନିରଥର କପଡା ରଙ୍ଗକୁ ପୁନଶ୍ଚ ବଦଳାଇ ପୂର୍ବ ରଙ୍ଗର କପଡା କରାଇବା ସମ୍ପର୍କେ “ଜୟ ନୟାଗଡ଼ ଫାଉଣ୍ଡେସନ” ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ସହ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।

ନୟାଗଡ଼ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଜିଲ୍ଲାର ଅନ୍ୟ ଗଡଜାତ ଯଥା ଖଣ୍ଡପଡା, ରଣପୁର ଦଶପଲ୍ଲା ଭଳି ବହୁତ ପୁରୁଣା ଅଟେ| ଇତିହାସ କୁହେ ତତ୍କାଳୀନ ନୟାଗଡ଼ ରାଜା ବିନାୟକ ସିଂହ( ଖ୍ରୀ:-୧୭୮୮-୧୮୦୮)ଙ୍କ ସମୟରେ ଏହା ଆରମ୍ଭ ହୋଇଥଲା। ପ୍ରତ୍ୟେକ ଗଡଜାତର ଭିନ୍ନ ଭିନ୍ନ ତଥା ସ୍ୱତନ୍ତ୍ର ପରମ୍ପରା ରୀତିନୀତି ଭଳି ଆମ ନୟାଗଡ ଗଡଜାତ ବିଜେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାନିଯାତ୍ରା, ପରମ୍ପରା ମଧ୍ୟ ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ ଅଟେ | ସେଇ ନୀତି ପରମ୍ପରା ଅନୁସାରେ ରଥଯାତ୍ରା ପ୍ରାରମ୍ଭରୁ ନୟାଗଡ଼ ଠାକୁରଙ୍କ ତିନି ରଥର ନିର୍ମାଣ ଶୈଳୀରେ ମଧ୍ୟ ଏକ ସ୍ଵତନ୍ତ୍ରତା ରହିଅଛି | କିନ୍ତୁ ଦୁର୍ଭାଗ୍ୟର ବିଷୟ,ବିଗତ ଦୁଇ ବର୍ଷ ୨୦୨୩ମସିହା ଠାରୁ ରଥଯାତ୍ରା ସମୟରେ ନୟାଗଡ ଦେବୋତ୍ତର ବିଭାଗ ସେଥିରେ ହସ୍ତକ୍ଷେପ କରି ତିନି ରଥର ପୂର୍ବ ବ୍ୟବହୃତ ରଥାବୃତ କନା ପରିବର୍ତ୍ତନ କରି ଭିନ୍ନ ରଙ୍ଗର କରିଦେଇଛନ୍ତି | ପ୍ରଶାସନ ଦ୍ୱାରା ଦୀର୍ଘ ୨୫୦ ବର୍ଷର ପୁରୁଣା ପରମ୍ପରା ଅସ୍ମିତାକୁ ଭାଙ୍ଗି;ଆମ ରଥ ଆବୃତ କନାର ରଙ୍ଗ ବଦଳାଇ ପୁରୀ ରଥ ଭଳି ରଙ୍ଗର କନା କରିଦେଇ ଅଛନ୍ତି; ଯାହା ଆମ ନୟାଗଡ ବାସୀଙ୍କ ଆସ୍ଥା ବିଶ୍ୱାସକୁ ଗଭୀର ଆଘାତ ଦେଇଛି | ଗଡଜାତ ପରମ୍ପରା ଅସ୍ମିତାକୁ କୁଠାରଘାତ କରିଛି। ଏଭଳି ନ’ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିବା ସତ୍ତ୍ୱେ ଦେବୋତ୍ତର ବିଭାଗ ଏଥି ପ୍ରତି କର୍ଣ୍ଣପାତ କରିନାହିଁ | ରଣପୁର, ଦଶପଲ୍ଲା ଖଣ୍ଡପଡା ତଥା ଓଡିଶାର ବିଭିନ୍ନ ଗଡଜାତ ଗୁଡିକ ଶହ ଶହ ବର୍ଷ ଧରି ହେଉଥିବା ରଥଯାତ୍ରାର ପରମ୍ପରାକୁ ଦେବୋତ୍ତର ବିଭାଗ ଦ୍ୱାରା କୋଣସି ପରିବର୍ତନ କରାଯାଇ ନାହିଁ। ତେବେ ଆମ ନୟାଗଡ଼ର ଶହ ଶହ ବର୍ଷ ପୁରୁଣା ପରମ୍ପରା ପ୍ରତି କାହିଁକି ପ୍ରଶାସନ ବୈମାତୃକ ଭାବ ପୋଷଣ କରୁଛନ୍ତି ତାହା ଚିନ୍ତାର ବିଷୟ ଅଟେ। ଏହାକୁ ନେଇ ତା୧୮/୦୬/୨୦୨୫ରିଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ‘ଜୟ ନୟାଗଡ଼ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ସଂଗଠନର ସଂଯୋଜକ(ସାହିତ୍ୟ, କଳା ଓ ସଂସ୍କୃତି, ଆଇନ ବିଭାଗ) ଶ୍ରିତମ କୁମାର ପ୍ରଧାନ, ଶିବ ରଞ୍ଜନ ସାହୁ, ଦିବ୍ୟ ରଞ୍ଜନ ସାହୁ, ବୁଲୁ ବାରିକ, ଜିତେନ୍ଦ୍ର ପଟ୍ଟନାୟକ, ଜୀବନଜ୍ୟୋତି ପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ, ରାକେଶ କୁମାର ସିଠ ପ୍ରମୁଖ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଅଛି।











