ତା -୨୪/୦୬/୨୦୨୫ରିଖ- ଭାସ୍କର ଚନ୍ଦ୍ର ସ୍ବାଇଁ- ରାଜ୍ୟରେ ହଇଜାର ପ୍ରକୋପ ବଢିଥିବା ବେଳେ ନୟାଗଡ଼ ପ୍ରଶାସନର ଉଦାସୀନତା ଓ ଚେଇଁ ଶୋଇବା ନ୍ୟାୟ ଭବିଷ୍ୟତରେ ନୟାଗଡ଼ିଆଙ୍କ ନିମନ୍ତେ ଅଭିଶାପ ପାଲଟି ନଯାଉ। ନୟାଗଡ଼ ଜିଲ୍ଲାରେ ବସବାସ କରୁଥିବା ଲୋକମାନଙ୍କୁ ଉପଯୁକ୍ତ ପାନୀୟ ଜଳଯୋଗାଣ ହେଉନଥିବା କଥା ବାରମ୍ବାର ଚର୍ଚ୍ଚା ହେଇଛି। ବର୍ତ୍ତମାନ ରାଜ୍ୟରେ ହଇଜା ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିଲା ବେଳେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଏହା ଝାଡ଼ାବାନ୍ତି ରୋଗ ହିସାବରେ ଚିକିତ୍ସିତ କରାଯାଉଅଛି। ନୟାଗଡରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଇବାକୁ ଆସୁଥିବା ଲୋକଙ୍କୁ କେଉଁ ପାଣି ପିଇବା ପାଇଁ ଦିଆଯାଉଛି ଓ ସେମାନଙ୍କ ତିଆରି ଖାଦ୍ୟର ମାନକ ତଦାରଖ କରାଯାଉ ତତସହ ଲୋକଙ୍କୁ ସଚେତନ କରାଇବା ଏହିଭଳି ବିଭିନ୍ନ ଦାବି ନେଇ ‘ଜୟ ନୟାଗଡ଼ ଫାଉଣ୍ଡେସନ’ର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ନିରୀକ୍ଷଣ ଯନ୍ତ୍ରୀ ଆଲୋକ ପଣ୍ଡା ଏବଂ ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ।

ଶ୍ରୀଯୁକ୍ତ ଆଲୋକ ପଣ୍ଡା ଏହା ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବା ନେଇ ଆଲୋଚନା ସମୟରେ ଜଣେଇଥିଲେ ଏବଂ ଯେକୌଣସି ସ୍ଥାନରେ କୌଣସି ଅବ୍ୟବସ୍ଥା ଦେଖିଲେ ତାଙ୍କ ସହ ଯୋଗାଯୋଗ କରିବା ନିମନ୍ତେ ଅନୁରୋଧ କରିଥିଲେ। ସେହିଭଳି ପୌରପରିଷଦ ନିର୍ବାହୀ ଅଧିକାରୀ ମାଇକ ଜରିଆରେ ଲୋକଙ୍କୁ ସଚେତନ କରିଥିବା ବେଳେ ଆସନ୍ତାକାଲିଠାରୁ ପ୍ରତ୍ୟେକ ଖାଇବା ପିଇବା ଯଥା ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟ ଫୁଡ଼ ସେଣ୍ଟର ଇତ୍ୟାଦି ସ୍ଥାନକୁ ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ସର୍ବେକ୍ଷଣ ହେବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଜୟ ନୟାଗଡ଼ ଫାଉଣ୍ଡେସନ ନୟାଗଡ଼ର ସମସ୍ତ ଆବଶ୍ୟକତାକୁ ନେଇ ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ୧୦ ଦିନ ମଧ୍ୟରେ ବଂଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଙ୍ଗଠନର ଆଗାମୀ ରଣନୀତି ସମସ୍ତ ନୟାଗଡ଼ିଆଙ୍କ ସାମ୍ନାରେ ରଖିବା ନେଇ ସଙ୍ଗଠନର ପ୍ରତିଷ୍ଠାତା ଜଣାଇଛନ୍ତି। ଏହି ଆଲୋଚନାରେ ସଙ୍ଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ, ସଂଯୋଜକ(ସାହିତ୍ୟ, କଳା ଓ ସଂସ୍କୃତି, ଆଇନ) ଶ୍ରିତମ କୁମାର ପ୍ରଧାନ, ସଂଯୋଜକ(ଶିକ୍ଷା) ଅମ୍ଳାନ ଅଂଶୁମାନ ସାହୁ, ଶିବ ରଞ୍ଜନ ସାହୁ, ଜୀବନଜ୍ୟୋତି ପ୍ରକାଶ ସାହୁ, ଅରବିନ୍ଦ ପାଢୀ, ରାକେଶ କୁମାର ସିଠ, ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।











