ପୁରୀ, ୨୪/୭: (ତୃପ୍ତିମୟୀ ଜେନା )- ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ଭାସ୍କର ମିଶ୍ରଙ୍କ ରଚିତ ‘ଗ୍ଲୋରି ଅଫ ଲର୍ଡ ଶ୍ରୀଜଗନ୍ନାଥ’ ଇଂରାଜୀ ଗ୍ରନ୍ଥ ଚିତାଲାଗି ଅମାବାସ୍ୟା ଅବସରରେ ଉନ୍ମୋଚିତ ହୋଇଛି। ଭୁବନେଶ୍ବର ଖଣ୍ଡଗିରିସ୍ଥିତ ହିଲ୍ ସାଇଡ୍ ଇନ୍ରେ ଐତିହ୍ୟ ବିଶାରଦ, ତଥା ବିଜୟିନୀ ସ୍ମୃତି ଟ୍ରଷ୍ଟର ପ୍ରତିଷ୍ଠାତ ଡାକ୍ତର ଇନ୍ଦ୍ରମଣି ଜେନା ଲୋକାର୍ପଣ କରିଛନ୍ତି। ନୂଆଦିଲ୍ଲିସ୍ଥିତ ପ୍ରକାଶନ ସଂସ୍ଥା ‘ଅଭିନବ ପବ୍ଲିକେସନ’ ପକ୍ଷରୁ ଏହା ପ୍ରକାଶ ପାଇଛି।
୩୩୨ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ୧୦ଟି ପରିଚ୍ଛେଦରେ ଶ୍ରୀକ୍ଷେତ୍ର ଧାମ ସମ୍ପର୍କିତ ଅନେକ ତଥ୍ୟ ଭିତ୍ତିକ ପ୍ରସଙ୍ଗ, ଶ୍ରୀମନ୍ଦିର, ଶ୍ରୀଜଗନ୍ନାଥଙ୍କ ସମ୍ବନ୍ଧରେ ଆଲେଖ୍ୟ ରହିଛି। ୨ଶହଟି ଦୁର୍ଲଭ ଫଟୋ ଚିତ୍ର ସ୍ଥାନିତ ହୋଇଛି। ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଅତିଭ ମଲ୍ଲିକଙ୍କ ଅନୁରୋଧକ୍ରମେ ସମଗ୍ର ୟୁରୋପରେ ବସବାସ କରୁଥିବା ଶ୍ରୀଜଗନ୍ନାଥ ପାଠକମାନଙ୍କ ଉଦ୍ଦେଶ୍ୟରେ ଡ.ମିଶ୍ର ଏହି ଗ୍ରନ୍ଥ ରଚନା କରିଛନ୍ତି। ଶ୍ରୀକ୍ଷେତ୍ର ଧାମର ପ୍ରାଚୀନତା, ଶ୍ରୀଜଗନ୍ନାଥ ମନ୍ଦିର, ପରିଚାଳନା ଇତିହାସ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ବିଭନ୍ନ ଯାନିଯାତ୍ରା, ବେଶ, ଗଜପତି ମହାରାଜଙ୍କ ସେବା ପରମ୍ପରା, ଅନ୍ୟ ସେବା ଓ ସେବକ ପରମ୍ପରା, ମହାପ୍ରଭୁଙ୍କ ଭୂସମ୍ପତ୍ତି, ରତ୍ନଭଣ୍ଡାର, ମାଦଳାପାଞ୍ଜିରେ ଶ୍ରୀଜଗନ୍ନାଥ ପ୍ରସଙ୍ଗ, ଶ୍ରୀମନ୍ଦିରର ସଂରକ୍ଷଣ ଇତିହାସ, ଭାରତର ବିଭିନ୍ନ ରାଜ୍ୟର ତୀର୍ଥଯାତ୍ରୀଙ୍କ ଶ୍ରୀଜଗନ୍ନାଥ ଧାମକୁ ଆଗମନ ଓ ଦର୍ଶନ ପ୍ରସଙ୍ଗ, ପୁରୀର ମଠାନୁଷ୍ଠାନ, ଶ୍ରୀକ୍ଷେତ୍ରର ବିଭିନ୍ନ ଦେବଦେବୀ, ଅନ୍ୟ ପ୍ରସିଦ୍ଧ ସ୍ଥାନ ଆଦି ବିଷୟ ସ୍ଥାନିତ ହୋଇଛି।











